Unknown

 

 

 

 

 

 

 

 

 

 

 

କୁମ୍ଭୀର

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

 

(୧)

 

ଆମ ଦେଶରେ ସାଧାରଣତଃ ପାଞ୍ଚ ଜାତିର କୁମ୍ଭୀର ଦେଖାଯାଆନ୍ତି । ଯଥା-କୁଜି, ଶଙ୍ଖୁଆ, ଥଣ୍ଟିଆ, ଗୋମୁହାଁ ଓ ଘଡ଼ିଆଳ । ଏମାନଙ୍କ ଭିତରୁ କୁଜି ସବୁଠାରୁ ସାନ । ଘଡ଼ିଆଳ ଯେପରି ସବୁଠାରୁ ବଡ଼, ସେହିପରି ଭୀଷଣ ଓ ହିଂସ୍ର । ପ୍ରତି ବର୍ଷ ଆମ ଦେଶରେ ଶହ ଶହ ମଣିଷ, ହଜାର ସଂଖ୍ୟାରେ ଗାଈ, ଗୋରୁ, ଛେଳି, ମେଣ୍ଢା, କୁକୁର ପ୍ରଭୃତି ଗୋମୁହାଁ ଓ ଘଡ଼ିଆଳ କୁମ୍ଭୀର ମୁହଁରେ ପ୍ରାଣ ଦେଇଥାନ୍ତି । କୁମ୍ଭୀର ଦେହରେ ଏତେ ବଳ ଯେ, ଗୋଟାଏ ବଡ଼ ମଇଁଷି ପୋଢ଼କୁ ମଧ୍ୟ ସେ ପାଣିକୁ ଅକ୍ଳେଶରେ ଘୋସାରିନିଏ ଏବଂ ତାକୁ ପିଲାଏ ଫୁଟବଲ ଖେଳିଲା ପରି ଉପରକୁ ଫିଙ୍ଗିଦେଇ ପୁଣି ପାଟିରେ ଧରିପକାଏ ।

 

କୁମ୍ଭୀର ଆମ ଭାରତ, ମାଲୟ ପ୍ରଭୃତି ପଶ୍ଚିମ-ଭାରତ ଦୀପପୁଞ୍ଜ, ଚୀନ, ଆଫ୍ରିକା ଓ ଆମେରିକାର ନଦୀମାନଙ୍କରେ ବହୁ ସଂଖ୍ୟାରେ ବାସ କରନ୍ତି । ସେଥି ଭିତରୁ ଭାରତର ଘଡ଼ିଆଳ କୁମ୍ଭୀର ସବୁଠାରୁ ବଡ଼ । କୁମ୍ଭୀର ସାଧାରଣତଃ ଆଠ ଦଶ ଫୁଟରୁ ପନ୍ଦର ଷାହଳ ଫୁଟ ପର୍ଯ୍ୟନ୍ତ ଲମ୍ବ ହୁଏ । ଗୋଟିଏ ଘଡ଼ିଆଳ ତେତ୍ରିଶ ଫୁଟ ଲମ୍ବ ଥିବାର ଦେଖାଯାଇଛି ଓ ଏପର୍ଯ୍ୟନ୍ତ ଯାହା ଜଣା ପଡ଼ିଛି, ଏହା ସବୁଠାରୁ ବଡ଼ ବୋଲି ଧରାଯାଇଛି ।

 

କୁମ୍ଭୀର ସବୁ ମଧୁର ପାଣିରେ ରହନ୍ତି; ତେଣୁ ସମୁଦ୍ରରେ ସେମାନେ ଦେଖାଯାଆନ୍ତି ନାହିଁ-। କାରଣ, ସମୁଦ୍ରର ପାଣି ଲୁଣିଆ । ନଈ, ବଡ଼ ପୋଖରୀ ବା ହ୍ରଦର ପାଣି ଭିତର କୁମ୍ଭୀରର ବାସସ୍ଥାନ ହେଲେ ମଧ୍ୟ ଏହା ଉଭୟଚର ପ୍ରାଣୀ । ପାଣି ଭିତରେ ଯେପରି ରହେ, ଭୂମିରେ ମଧ୍ୟ ସେହିପରି ଚଳପ୍ରଚଳ ହୁଏ । ମାତ୍ର ଭୂମିଉପରେ ତା’ର ବଳ ବେଶୀ ନ ଥାଏ । ସେ କେବଳ ନଈ ବା ହ୍ରଦ କୂଳରେ ପାଣିଠାରୁ ଅଳ୍ପ ଦୂରରେ ଶୋଇ ରହି ଖରା ପୁଆଏ ବା ଶିକାର ଅନୁସନ୍ଧାନରେ ଛକିଥାଏ । କୌଣସି ଭୟ ପାଇଲେ ବା ଶିକାର ଯୁଟିଗଲେ ସଙ୍ଗେ ସଙ୍ଗେ ପାଣିକୁ ଡେଇଁପଡ଼େ । ଏହା ବୋଲି ପାଣି ଭିତରେ ଯେ ଦିନରାତି ସୁବିଧାରେ ରହେ, ତାହା ନୁହେ; ପାଣି ଉପରେ ପହଁରୁଥାଏ । ସେତେବେଳେ ତା’ର ସମଗ୍ର ଦେହ ପାଣି ଭିତରେ ବୁଡ଼ି ରହିଥିଲେ ମଧ୍ୟ ନାକଟି ପାଣି ଉପରେ ଭାସୁଥାଏ ଓ ସେ ମୁକ୍ତ ବାୟୁରେ ନିଃଶ୍ୱାସ ପ୍ରଶ୍ୱାସ ନିଏ । ଏହିଠାରେ ମାଛ ପ୍ରଭୃତି ଜଳଚର ପ୍ରାଣୀ ଓ ତା’ ଭିତରେ ଫରକ । ମାଛ ଶୁଖିଲାରେ କିଛି ସମୟ ରହିଲେ ମରିଯିବ; ମାତ୍ର କୁମ୍ଭୀର ତା’ ଜୀବନକାଳର ଅଧିକାଂଶ ସମୟ ଶୁଖିଲାରେ ଭୂଇଁ ଉପରେ ହିଁ କଟାଇଦିଏ ।

Image

 

(୨)

 

କୁମ୍ଭୀର ଦେହ ମଧ୍ୟରେ ଲାଞ୍ଜଟି ହେଉଛି ପ୍ରଧାନ । ଏହାକୁ ଆମ ଦେଶରେ ଖଗ କହନ୍ତି । ଏହି ଲାଞ୍ଜ ଦେହ ତୁଳନାରେ ଅପେକ୍ଷାକୃତ ବଡ଼ ଓ ଅତି ଦୃଢ଼ । କୁମ୍ଭୀର ଦେହର ସମସ୍ତ ବଳ ଏହି ଲାଞ୍ଜରେ । ଲାଞ୍ଜ ସାହାଯ୍ୟରେ ସେ ପାଣିରେ ଅତି ଶୀଘ୍ର ପହଁରି ଯାଇପାରେ, ପୁଣି ଲାଞ୍ଜ ମାଡ଼ରେ ଶିକାରକୁ ଆଘାତ କରେ । ଶିକାର ଯେତେ ବଳବାନ୍‌ ହୋଇଥାଉ ନା କାହିଁକି, କୁମ୍ଭୀର ତାକୁ ଲାଞ୍ଜରେ ଥରେ ପିଟିଦେଲେ ସେ ତଳେ ପଡ଼ିଯିବ । ଲାଞ୍ଜର ଗୋଟାଏ ପାହାରରେ ତ ମଣିଷ ପିଠିର ମେରୁହାଡ଼ ଭାଙ୍ଗିଯିବ । ଏହା ଉପରେ ଯେଉଁ କଣ୍ଟା ଥାଏ, ତାହା ମୁନିଆଁ ଓ ଟାଣ-। ସେଥିରେ ବିଷ ଥାଏ ବୋଲି ଲୋକଙ୍କର ବିଶ୍ୱାସ ।

 

ଲାଞ୍ଜଟି ଦେହଠାରୁ ଅଗ ଆଡ଼କୁ କ୍ରମେ ସରୁ ହୋଇ ଆସିଥାଏ ।

 

କୁମ୍ଭୀରର ଗୋଡ଼ ଦୁଇଟି ଅତି ସାନ ଓ ମୋଟା । ଏହି ସାନ ଗୋଡ଼ ଯୋଗୁଁ ସେ ଭୂଇଁ ଉପରେ ଶୀଘ୍ର ଚାଲିପାରେ ନାହିଁ । ଚାଲିଲାବେଳେ ପେଟ ମାଟିରେ ଘୁଷୁରି ଘୁଷୁରି ଯାଏ । ପଛଗୋଡ଼ ଦୁଇଟି ଆଗ ଦୁଇଗୋଡ଼ ଅପେକ୍ଷା ଟିକିଏ ବଡ଼ ଓ ତା’ର ଶକ୍ତି ବେଶି ।

 

ପ୍ରତ୍ୟେକ ଗୋଡ଼ରେ ଚାରୋଟି ଲେଖାଏଁ ଆଙ୍ଗୁଠି ଓ ସେଥିରେ ଥିବା ନଖ ଅତି ମୁନିଆଁ । କୁମ୍ଭୀର ପାଣିରେ ପହଁରିଲାବେଳେ ଆଗଗୋଡ଼ ଦୁଇଟା ପେଟ ଦେହକୁ ଯାକିଦିଏ । ଲାଞ୍ଜ ଓ ପଛ ଗୋଡ଼ ସାହାଯ୍ୟରେ ପହଁରେ ।

 

ଏହା ଦେହର ଚମ ପ୍ରାୟ ଅଧଇଞ୍ଚ ମୋଟା ଓ ଟାଣ । ତା’ ଉପର ଆବୁଡ଼ା ଖାବୁଡ଼ା ହୋଇଥାଏ । ମୁଣ୍ଡ ପାଖରୁ ଆରମ୍ଭ କରି ଲାଞ୍ଜ ଅଗ ପର୍ଯ୍ୟନ୍ତ ମଝି ପିଠିରେ କରତ ଧାର ପରି ମୁନିଆଁ ଟାଣ କଣ୍ଟାଗୁଡ଼ିଏ ଧାଡ଼ି ଧାଡ଼ି ହୋଇ ରହିଥାଏ ।

 

ଏହାର ବେକ ନାହିଁ କହିଲେ ଚଳେ । ଦେହ ସାଙ୍ଗରେ ମୁଣ୍ଡ ଲାଗି ରହିଥାଏ । ତେଣୁ କୁମ୍ଭୀର ମୁହଁ ବୁଲାଇ ପଛକୁ ଚାହିଁପାରେ ନାହିଁ । ସେହି କାରଣରୁ ପଛରୁ ଶିକାରୀ ଯାଇ ତାକୁ ସୁବିଧାରେ ମାରିପାରନ୍ତି । କେହି କୁମ୍ଭୀର ହାବୁଡ଼ରେ ପଡ଼ିଲେ, ସେ ଯଦି ସିଧା ସଳଖ ନ ଦଉଡ଼ି କୁମ୍ଭୀର ଚାରିପାଖଯାକ ଘୂରିବ, ତେବେ ଅକ୍ଳେଶରେ କୁମ୍ଭୀର ମୁହଁରୁ ବର୍ତ୍ତି ଆସିବ । ସେ ପଛକୁ ବୁଲି ପଡ଼ିଲେ କୁମ୍ଭୀର ମୁହଁ ବୁଲାଇ ଆଉ ତାକୁ ଚାହିଁପାରିବ ନାହିଁ; ସିଧା ଆଗକୁ ଧାଇଁଥିବ ।

 

ସାଧାରଣତଃ ଦୁଇ ପ୍ରକାରର ମୁହଁ ଥିବା କୁମ୍ଭୀର ଦେଖାଯାଆନ୍ତି । ଗୋଟିଏ ଜାତିର କୁମ୍ଭୀରର ମୁହଁ ମୋଟା ଓ ଅଳ୍ପ ଲମ୍ବା । ଏମାନଙ୍କୁ ଇଂରାଜୀରେ ଆଲିଗେଟର (Alligator) କୁହାଯାଏ । ଯେଉଁମାନଙ୍କ ମୁଣ୍ଡ ସରୁ ଓ ଥଣ୍ଟଭଳି ଗୋଟାଏ ଲମ୍ବାମୁହଁ ଥାଏ, ସେମାନଙ୍କୁ କ୍ରକୋଡାଇଲ (Crocodile) କହନ୍ତି । ଏ ଉଭୟ ଶବ୍ଦର ଅର୍ଥ ଓଡ଼ିଆରେ କୁମ୍ଭୀର ।

 

କୁମ୍ଭୀରର ମୁଣ୍ଡ ଉପରେ ଆଖି ଦୁଇଟା ଡିମା ହୋଇ ଉପରକୁ ଉଠିଥାଏ । ପାଟି ଅତି ବଡ଼ ଓ ସେଥିରେ ଅନେକଗୁଡ଼ିଏ ସରୁ ସରୁ ତୀକ୍ଷ୍ଣ ଦାନ୍ତ ଥାଏ । ଏହି ଦାନ୍ତରେ ସେ ଥରେ ଯାହାକୁ କାମୁଡ଼ି ଦେବ, ତା’ ଦେହ ନିଶ୍ଚୟ ଦୁଇ ଖଣ୍ଡ ହୋଇଯିବ । ପାଟି ବଡ଼ ହୋଇଥିବାରୁ, ସେ ଗୋରୁ ମଇଁଷିଭଳି ବଡ଼ ବଡ଼ ଜୀବଜନ୍ତୁଙ୍କୁ ପାଟିରେ କାମୁଡ଼ି ପାଣି ଭିତରକୁ ଟାଣି ନେଇ ଯାଇପାରେ ।

 

ପ୍ରତ୍ୟେକ ପ୍ରାଣୀର ନାକରନ୍ଧ୍ର ସହିତ ପାଟିର ସମ୍ପର୍କ ରହିଛି । ନାକରେ ନିଃଶ୍ୱାସ ନେଲେ ତାହା ଗଳା ଦେଇ ହୃଦ୍‌ଯନ୍ତ୍ରକୁ ଯାଏ । ମାତ୍ର କୁମ୍ଭୀରର ନାକରନ୍ଧ୍ର ସହିତ ଗଳାର କୌଣସି ସମ୍ପର୍କ ନାହିଁ । ସେ ମଣିଷ, କି ଗାଈ ଗୋରୁ ଶିକାର ପାଇଲେ ତାକୁ ପାଟିରେ କାମୁଡ଼ି ପାଣିରେ ବୁଡ଼ାଇ ରଖେ । ପାଣି ଭିତରେ ଅଣନିଃଶ୍ୱାସୀ ହୋଇ ଅଳ୍ପ ସମୟ ଭିତରେ ସେ ମରିଯାଏ । ମାତ୍ର କୁମ୍ଭୀର ପାଣି ଭିତରେ ଥିଲେ ମଧ୍ୟ ତା’ ଉପର ଥୋମଣିର ନାକ ପାଣି ଉପରକୁ ରହିଥାଏ ଓ ସେ ସେଥିରେ ସ୍ୱଚ୍ଛନ୍ଦରେ ନିଃଶ୍ୱାସ ପ୍ରଶ୍ୱାସ ନେବା ଆଣିବା କରେ । ସେତେବେଳେ ତା’ର ତିଳେହେଲେ ଅସୁବିଧା ହୋଇ ନ ଥାଏ ।

 

ଲୋକଙ୍କର ବିଶ୍ୱାସ, ଏହାର ମଳଦ୍ୱାର ନାହିଁ । ଆମେମାନେ ପାଟିରେ ଯାହା ଖାଉଁ, ତାହା ଦେହରେ ରକ୍ତରେ ପରିଣତ ହେଲାପରେ ବଳକା ଅଦରକାରୀ ଜିନିଷତକ ଝାଡ଼ାରୂପେ ବାହାରିଯାଏ । କୁମ୍ଭୀରର ମଳଦ୍ୱାର ନ ଥିବାରୁ ତା’ର ଝାଡ଼ା ହୁଏ ନାହିଁ । ଖାଦ୍ୟର ଅଦରକାରୀ ବଳକା ଅଂଶ ପାଟିବାଟେ ସେ ବାନ୍ତିକରି ପକାଏ ।

 

କେତେକ ଲୋକଙ୍କୁ ସମୟ ସମୟରେ ଗୋଟାଏ ପ୍ରକାର ରୋଗ ହୁଏ । ସେ ଯାହା ଖାଆନ୍ତି, ତାହା ବାନ୍ତି କରିପକାନ୍ତି । ସେ ରୋଗକୁ କୁମ୍ଭିରିଆ ରୋଗ କୁହାଯାଏ । କୁମ୍ଭୀର ପରି ସେମାନେ ପାଟିବାଟେ ଖାଦ୍ୟର ବଳକା ଅଂଶ ପଦାକୁ ବାହାର କରି ପକାଉ ଥିବାରୁ, ସେ ରୋଗକୁ ଏପରି ନାମ ଦିଆଯାଇଛି ।

Image

 

(୩)

 

କୁମ୍ଭୀର ମାଛ ଓ ମାଂସ ଖାଇ ବଞ୍ଚେ । ଗୋମୁହାଁ, ଘଡ଼ିଆଳ ପ୍ରଭୃତି ବଡ଼ ଜାତିର କୁମ୍ଭୀର ଗାଈ, ମଇଁଷି, ହରିଣ, କୁକୁର ପ୍ରଭୃତି ସବୁ ପଶୁର ମାଂସ ଖାଇଥାଆନ୍ତି । ମହାବଳ ବାଘ, ହାତୀ, ଜଳହସ୍ତୀ, ଗଣ୍ଡା ପ୍ରଭୃତି ବଳବାନ ବିରାଟକାୟ ପଶୁଙ୍କୁ ମଧ୍ୟ ଧରିବାକୁ ଏମାନେ ପଛାନ୍ତି ନାହିଁ; ସେମାନଙ୍କ ସାଙ୍ଗରେ ବହୁ ସମୟ ଧରି ଯୁଦ୍ଧ କରନ୍ତି । ଅନେକ ସମୟରେ ଏ ଯୁଦ୍ଧରେ କୁମ୍ଭୀର ମରିଯାଏ; ବେଳେବେଳେ ଦୁଇପକ୍ଷ ମଧ୍ୟ ମରନ୍ତି ।

 

ମଣିଷମାଂସ ତ କୁମ୍ଭୀରର ଅତି ପ୍ରିୟ । ସାନ ଜାତିର କୁମ୍ଭୀରଗୁଡ଼ିକ ପାଣି ଭିତରେ ଥିବା ମାଛ, ବେଙ୍ଗ ଆଦି ଖାଆନ୍ତି । ବଡ଼ ବଡ଼ ପଶୁ ମାରିବାକୁ ସେମାନଙ୍କର ସାହସ କି ବଳ ନ ଥାଏ ।

 

କୁମ୍ଭୀର ଅଦ୍‌ଭୂତ ପ୍ରକାରରେ ଶିକାର କରେ । ସେ ପାଣି ଭିତରେ ଲୁଚି ରହିଥାଏ । କୂଳରେ କୌଣସି ମଣିଷ କି ପଶୁ ଥିବାର ଦେଖିଲେ ଲୁଚିଲୁଚି ପାଖକୁ ଚାଲିଆସେ । ତା’ ଲାଞ୍ଜକୁ ଏତେ ଜୋରରେ ପିଟିଦିଏ ଯେ, ଶିକାର ଯାଇ ଖଣ୍ଡ ଦୂରରେ ନଈ ମଝିରେ ପଡ଼େ । କୁମ୍ଭୀର ଦ୍ରୁତ ବେଗରେ ତା’ ପାଖକୁ ପହଁରିଯାଏ ଓ ତାକୁ ପାଟିରେ କାମୁଡ଼ି ଧରି ଉପରକୁ ଫୋପାଡ଼େ । କେତେ ବାଟ ଶୂନ୍ୟକୁ ଉଠିଯାଇ ସେ ପୁଣି ପାଣିରେ ପଡ଼ିଲାବେଳେ କୁମ୍ଭୀର ତା’ର ଦୀର୍ଘ ପାଟି ଦେଖାଇଦିଏ-। ଶିକାର ଶୂନ୍ୟରୁ ଖସିଆସି ତା’ ପାଟିରେ ପଡ଼େ । ସେ ଥରକରେ ଶିକାର ଦେହରୁ ବହୁ ପରିମାଣରେ ମାଂସ ଦାନ୍ତରେ କାମୁଡ଼ିନିଏ । ସେ ମାଂସତକ ଗିଳିଦେଲେ ପୁଣି ଥରେ କାମୁଡ଼େ । ଗୋଟାଏ ବଡ଼ ଗୋରୁ ବା ମଇଁଷିକୁ ଖୁବ୍‌ ବେଶି ହେଲେ ପାଞ୍ଚ ଛଅ ଥରରେ ହିଁ କାମୁଡ଼ି ସେ ଶେଷ କରିଦେଇ ଥାଏ । ଅନେକ ସମୟରେ ମଲା କୁମ୍ଭୀର ପେଟରୁ ସୁନା ରୂପା ବା କଂସାପିତ୍ତଳର ଅଳଙ୍କାର, ଟଙ୍କାପଇସା, ଚମଡ଼ାର ମନିବ୍ୟାଗ, ପାନଡ଼ିବା ପ୍ରଭୃତି ମିଳିଥାଏ । ଯେଉଁ ହତଭାଗ୍ୟ ଲୋକ ପାଖରେ ଏସବୁ ଜିନିଷ ଥାଏ, କୁମ୍ଭୀର ତାକୁ ଖାଇଲାବେଳେ ଏଗୁଡ଼ିକ ମଧ୍ୟ ମାଂସ ସାଙ୍ଗରେ ଗିଳି ଦେଇଥାଏ । ମାଂସ ତ ହଜମ ହୋଇଯାଏ; ମାତ୍ର ଏହି ଧାତୁ ଜିନିଷ ସେହିପରି ପେଟରେ ରହି ଯାଇଥାଏ ।

 

ଥରେ ଗୋଟିଏ କୁମ୍ଭୀର ପେଟରୁ ସରୁ ଲୁହା ଜଞ୍ଜିର ଥିବା ତିନିଗୋଟା ପିତ୍ତଳ ଘଣ୍ଟି ବାହାରିଥିଲା । ଚାଷୀମାନେ ସେମାନଙ୍କ ବଳଦ ବେକରେ ସଉକରେ ଘଣ୍ଟି ବାନ୍ଧିଦେଇଥାନ୍ତି । ହଳ ବୁଲିବାବେଳେ ବା ଶଗଡ଼ ଟାଣିବାବେଳେ ବଳଦ ମୁହଁ ହଲାଏ ଓ ସେ ଘଣ୍ଟି ଠନ୍‌ଠନ୍‌ ବାଜେ । ସେ କୁମ୍ଭୀର ସେହିପରି ବେକରେ ଘଣ୍ଟି ବନ୍ଧାଥିବା ତିନିଗୋଟି ବଳଦ ଖାଇଥିଲା । ତାହାର ପ୍ରାୟ ପାଞ୍ଚ ଛଅବର୍ଷ ପରେ ଲୋକମାନେ ମିଶି ତାକୁ ମାରି ପକାଇଲେ । ତା’ ପେଟ ଚିରାଯିବାରୁ ଘଣ୍ଟି ତିନୋଟି ମିଳିଲା ଓ ସେଥିରେ ବଳଦ ମାଲିକଙ୍କ ନାମ ଲେଖାଥିବାର ଦେଖାଗଲା । ସେ ପର୍ଯ୍ୟନ୍ତ ବଳଦର ମାଲିକ ଜାଣି ନ ଥିଲେ ଯେ, ତାଙ୍କ ବଳଦକୁ କୁମ୍ଭୀର ଖାଇଛି । ଗୋଟିକ ପରେ ଗୋଟିଏ ବଳଦ ଅଦୃଶ୍ୟ ହେବାରୁ ତାଙ୍କର ଧାରଣା ଥିଲା, କେହି ଚୋରାଇ ନେଇ ଦୂର ଗ୍ରାମରେ ବଳଦକୁ ବିକି ଦେଉଛି । ବଳଦ ଖୋଜି ବାହାର କରିବାପାଇଁ ଏବଂ ଚୋରକୁ ଧରିବାପାଇଁ ସେ ବହୁତ ଟଙ୍କା ଖର୍ଚ୍ଚ କରିଥିଲେ । ଚୋରକୁ ଧରି ପାରିଥିଲେ ଥାନାରେ ଦେଇଥାନ୍ତେ । ତାଙ୍କ ଜିଦ୍‌ ଥିଲା, ବଳଦ ଚୋରକୁ ଅନ୍ତତଃ ତିନି ବର୍ଷ ଜେଲଖାନାରେ ଘଣା ପେଲାଇ ଥାଆନ୍ତେ । ମାତ୍ର ପ୍ରକୃତ ଚୋର ଯେତେବେଳେ ଧରାପଡ଼ିଲା, ସେତେବେଳେ ଆଉ ଥାନା ପର୍ଯ୍ୟନ୍ତ ଯିବା ଦରକାର ପଡ଼ିଲା ନାହିଁ; ଘଣାପେଲାଇବା ତ ଦୂରର କଥା ।

Image

 

(୪)

 

କୁମ୍ଭୀର ପାଣି ଭିତରେ ବହୁତ ସମୟ କଟାଏ; ମାତ୍ର ମାଛ ପରି ପାଣି ତା’ ଘର ନୁହେ । ପାଣିକୂଳ ଶୁଖିଲାରେ ଗାତ ଖୋଳି ସେ ତା’ ରହିବା ସ୍ଥାନ ତିଆରି କରେ । ତା’ ଗୋଡ଼ରେ ଥିବା ମୁନିଆଁ ନଖରେ ସେ ଅତି ଶୀଘ୍ର କାଦୁଅ ଓ ବାଲିମାଟି ଖୋଳି ଲମ୍ବା ଗାତ ତିଆରି କରିପାରେ । ସେ ରହିବା ଗାତକୁ ବେଶି ଚଉଡ଼ା କରେ ନାହିଁ: । ତା’ ଦେହ ଗଳିଗଲା ଭଳି ମୋଟରେ ପାଣିଠାରୁ ବହୁତ ଦୂରଯାଏ ଗାତ ଖୋଳିଥାଏ । ପାଣି କୂଳରୁ ଗାତ ଖୋଳା ହୋଇଥିଲେ ମଧ୍ୟ, ଗାତଭିତରେ ଯେପରି ପାଣି ନ ପଶିବ, ସେଥିପାଇଁ ସେ ଗାତମୁହଁକୁ ପାଣି ସ୍ତରଠାରୁ ଉଚ୍ଚରେ ରଖିଥାଏ କିମ୍ବା ଗାତ ମୁହଁରେ ଗୋଟାଏ ବନ୍ଧ ତିଆରି କରିଥାଏ ।

 

ମାଈ କୁମ୍ଭୀର ଥରକେ ତିରିଶରୁ ଷାଠିଏ ପର୍ଯ୍ୟନ୍ତ ଅଣ୍ଡା ଦିଏ । ଏ ଅଣ୍ଡାଗୁଡ଼ିକ ହଂସ ଅଣ୍ଡା ପରି ଦେଖାଯାଏ । ଏହାର ଖୋଳ ଖୁବ୍‌ ମୋଟା ଓ ଟାଣ । ମାଈ କୁମ୍ଭୀର ଅଣ୍ଡା ଦେଇସାରି ସବୁଗୁଡ଼ିକ ପାଣି ପାଖରେ ବାଲି ତଳେ ବା କାଦୁଅ ତଳେ ପୋତି ପକାଏ । ଅଣ୍ଡାକୁ ପୋତିବାରେ ଗୋଟିଏ ବିଶେଷତ୍ୱ ଅଛି । ଅଣ୍ଡା ଦେବା ପୂର୍ବରୁ ମାଈ କୁମ୍ଭୀର ନଈ ବା ପାଣି କୂଳରେ ମାଟି ଖୋଳି କାଦୁଅ ଓ ଘାସ ପତରର ଗୋଟାଏ ବେଦି ବାନ୍ଧିଦିଏ । ଅଣ୍ଡା ଦେଲା ପରେ ସେ ବେଦି ଉପରେ କେତୋଟି ଅଣ୍ଡା ରଖି ତା’ ଉପରେ ପୁଣି କାଦୁଅ ବୋଳା ଘାସ ପତର ବିଛାଇଦିଏ । ତା’ ଉପରେ ପୁଣି ଅଣ୍ଡା ରଖି କାଦୁଅ ଲଦେ ଏହିପରି ସ୍ତର ସ୍ତର କରି ଆଠ ଦଶଟି ସ୍ତରରେ ସେ ଅଣ୍ଡାଗୁଡ଼ିକ ସଜାଇ ରଖିଥାଏ । ସବା ଉପରେ ଅତି ବେଶି ବହଳର କାଦୁଅ ବୋଳି ପାଖଆଖରେ ଜଗି ରହେ-। ସୂର୍ଯ୍ୟ କିରଣରେ ମାଟି ତାତି ତଳେ ଅଣ୍ଡା ଉଷୁମ ହୁଏ । ଅଣ୍ଡା ଫୁଟିବା ସମୟ ହୋଇଗଲେ ମା କୁମ୍ଭୀର ଯାଇ ମାଟି ଖୋଳି ଅଣ୍ଡାତକ ବାହାର କରିଦିଏ । ସେତେବେଳକୁ ଅଣ୍ଡାଭିତରେ ଛୁଆଗୁଡ଼ିକ ବେଶ୍‌ ବଡ଼ ବଡ଼ ହୋଇ ଯାଇଥାଆନ୍ତି । ମାଟି ସ୍ତର ଉଠିଗଲା ପରେ ସେହି ଛୁଆ ତାଙ୍କ ଦାନ୍ତରେ କାମୁଡ଼ି ଟାଣୁଆ ଖୋଳ ଭାଙ୍ଗି ଦିଅନ୍ତି ଓ ପଦାକୁ ବାହାରି ଆସନ୍ତି । ଅଣ୍ଡା ଭିତରେ ବଢ଼ୁଥିବା ସମୟରେ ସେ ଛୁଆମାନଙ୍କ ପାଟିରେ ଦାନ୍ତ ଉଠିଥାଏ । ତାହାକୁ ‘ଅଣ୍ଡାଦାନ୍ତ’ କୁହାଯାଏ । ଛୁଆ ପଦାକୁ ଆସିବାର କେତେ ମାସ ପରେ ସେ ଦାନ୍ତ ପଡ଼ିଯାଏ । ତା’ ପରେ ଯେଉଁ ଦାନ୍ତ ଉଠେ, ତାହା ହିଁ ସେମାନଙ୍କର ପ୍ରକୃତ ଦାନ୍ତ ।

 

ଚଢ଼େଇ, ମାଛ, ସାପ ପ୍ରଭୃତି ଜନ୍ତୁଙ୍କ ଛୁଆ ଅଣ୍ଡାରୁ ବାହାରିଲା ପରେ ବଡ଼ ଅସହାୟ ଓ ଦୁର୍ବଳ ଥାଆନ୍ତି । ମାଆମାନେ ସେମାନଙ୍କୁ ଆହାର ଆଣି ଖାଇବାକୁ ଦିଅନ୍ତି; ସବୁ ସମୟରେ ସେମାନଙ୍କର ଯତ୍ନ ନିଅନ୍ତି । ଯଥେଷ୍ଟ ବଢ଼ିଗଲେ ଓ ଦେହକୁ ଶକ୍ତି ଆସିଗଲେ ଛୁଆଗୁଡ଼ିକ ସେମାନଙ୍କ ଆହାର ଖୋଜି ବୁଲନ୍ତି । ମାତ୍ର କୁମ୍ଭୀର ଛୁଆ ସେପରି ନୁହେ । ସେ ଅଣ୍ଡା ଭିତରେ ଥିବା ସମୟରେ ଯଥେଷ୍ଟ ଶକ୍ତି ଅର୍ଜ୍ଜନ କରିଥାଏ । ସେଇଠାରେ ତା’ ପାଟିରେ ଦାନ୍ତ ବି ଉଠିଥାଏ । ସେହି ଦାନ୍ତରେ ସେ ଅଣ୍ଡା ଖୋଳ ଭାଙ୍ଗି ପଦାକୁ ଆସେ ଏବଂ ସଙ୍ଗେସଙ୍ଗେ ନିଜର ଆହାର ଖୋଜିବାକୁ ଚାଲିଯାଏ । ଅଣ୍ଡାରୁ ବାହାରିଲା ବେଳେ ସେ ଆଠ ନଅ ଇଞ୍ଚ ଯାଏ ଲମ୍ବ ହୋଇଥାଏ । ଚାରି ଛଅ ମାସ ଭିତରେ ସେ ଆଠ ଦଶ ଫୁଟ ପର୍ଯ୍ୟନ୍ତ ବଢ଼ିଯାଏ । ପ୍ରାଣୀଜଗତରେ ଏତେ ଶୀଘ୍ର ବୋଧହୁଏ ଆଉ କେହି ବଢ଼ନ୍ତି ନାହିଁ ।

 

କୁମ୍ଭୀରର ପରମାୟୁ ବହୁତ ବେଶି । ଗୋଟିଏ ଗୋଟିଏ କୁମ୍ଭୀର ଦେଢ଼ଶହ ବର୍ଷ ଯାଏ ବଞ୍ଚିଥିବାର ଜଣାଯାଇଛି ।

Image

 

(୫)

 

ପଣ୍ଡିତମାନେ କହନ୍ତି, ସୃଷ୍ଟି ହେବାର ପ୍ରଥମ ଅବସ୍ଥାରେ ଯେଉଁ ସବୁ ଜନ୍ତୁ ପୃଥିବୀରେ ଥିଲେ, କାଳକ୍ରମେ ସେମାନେ ଲୋପ ପାଇଗଲେଣି କିମ୍ବା ସେମାନଙ୍କ ଆକାର ପ୍ରକାର ବଦଳି ଭିନ୍ନ ପ୍ରକାର ପ୍ରାଣୀ ରୂପ ଧଇଲାଣି । ମାତ୍ର କୁମ୍ଭୀରର ଚେହେରା ସେହି ଆଦିମଯୁଗରେ ଯାହା ଥିଲା, ଏବେ ବି ତାହା ରହିଛି । କେବଳ ସେମାନଙ୍କ ଦେହର ଆକାର ଯାହା ସାନ ହୋଇଆସିଛି । ଏହିମାନଙ୍କ ମତରୁ ଜଣାଯାଏ, କୁମ୍ଭୀର ତା’ର ବର୍ତ୍ତମାନ ରୂପରେ ଏ ପୃଥିବୀରେ ଷୋଳକୋଟି ବର୍ଷ ହେଲା ବିଚରଣ କରିଆସୁଛି ।

 

ଆମେରିକାରେ ଏକ ପ୍ରକାର କୁମ୍ଭୀର ଅଛନ୍ତି, ସେମାନଙ୍କ ଆକାର ଅପେକ୍ଷାକୃତ ସାନ; ମାତ୍ର ସେମାନଙ୍କ ଦାନ୍ତ ଖୁବ୍‌ ବଡ଼ ବଡ଼ ଓ ଅତି ଟାଣ । ସେ ଦାନ୍ତକୁ ହାତୀଦାନ୍ତ ସହିତ ତୁଳନା କରାଯାଇଥାଏ । ଅବଶ୍ୟ ହାତୀଦାନ୍ତ ପରି ତାହା ଏତେ ଲମ୍ବା ନ ହେଲେ ମଧ୍ୟ ହାତୀଦାନ୍ତ ଯେଉଁସବୁ କାମରେ ଲାଗେ, ଏ ଦାନ୍ତ ମଧ୍ୟ ସେହି କାମରେ ଲାଗିଥାଏ ।

 

ଏହି କୁମ୍ଭୀରମାନଙ୍କ ଦେହରୁ ପ୍ରାୟ ମହଣେ ଓଜନର ଚର୍ବି ବାହାରେ । ସେଥିରୁ ସେଠାର ଲୋକେ କଡ଼ଲିଭର ତେଲ ଭଳି ତେଲ ବାହାର କରି ଔଷଧରେ ଲଗାନ୍ତି । ଚମ ଅତ୍ୟଧିକ ମୋଟା ହୋଇଥିବାରୁ, ସବୁ ଦେଶରେ ତା’ର ଆଦର ବେଶି । କେବଳ କଲମ୍ବିଆରୁ ବର୍ଷକୁ ତିରିଶ ହଜାର ପର୍ଯ୍ୟନ୍ତ ଏହି କୁମ୍ଭୀରର ଚମଡ଼ା ବିଦେଶକୁ ରପ୍ତାନୀ ହୋଇଥାଏ ।

 

କୁମ୍ଭୀରମାନଙ୍କ ଦେହର ଚମଡ଼ା ଏତେ ଟାଣ ଯେ, ବାଡ଼ି ବା ଠେଙ୍ଗାରେ ପିଟିଲେ, ସେମାନଙ୍କୁ ଆଦୌ ଜଣାଯାଏ ନାହିଁ । କେବଳ ପେଟ ତଳେ ଲାଞ୍ଜ ପାଖର ଚମଡ଼ା ନରମ ଓ ପତଳା । ଧାରୁଆ ଛୁରି ପ୍ରଭୃତି କୌଣସି ହତିଆର ସେହିଠାରେ ଭୁଷିଦେଲେ ଯାଇ କୁମ୍ଭୀର ମରେ-। ଅବଶ୍ୟ ଆଜିକାଲିର ଶକ୍ତିଶାଳୀ ବନ୍ଧୁକ ଗୁଳି ତା’ ଚମ ଫୁଟାଇ ଗଳି ଯାଇଥାଏ । କିନ୍ତୁ ସବୁ ସମୟରେ ତ ଏ ବନ୍ଧୁକ ନ ଥିଲା ? ଏବେ ମଧ୍ୟ ସବୁ ସ୍ଥାନରେ ଏଭଳି ବନ୍ଧୁକ ନାହିଁ । ତେଣୁ କୁମ୍ଭୀରକୁ ମାରିବା ସହଜ ହେଉ ନାହିଁ ।

 

ଚିଡ଼ିଆଖାନା ପ୍ରଭୃତିରେ କୁମ୍ଭୀରକୁ ପିଲାଦିନୁ ପୋଷି ରଖିଲେ ସେ କେତେକ ପରିମାଣରେ ତା’ ହିଂସ୍ର ସ୍ୱଭାବ ଛାଡ଼ିଥାଏ । ତଥାପି ତା’ର ଜଗୁଆଳ ସବୁ ସମୟରେ ଅତି ସାବଧାନରେ ତା’ ସହିତ କାରବାର କରେ । କାରଣ, ତା’ର ସ୍ୱଭାବ ଏପରି ଯେ, କେତେବେଳେ କେଉଁ ରୂପ ଧରିବ, ତାହା ବୁଝିବା କଷ୍ଟକର ।

 

କୁମ୍ଭୀରକୁ ସବୁ ପ୍ରାଣୀ ଭୟ କରନ୍ତି । କୁମ୍ଭୀର ଯେ କାହାକୁ ଭୟ କରେ, ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ । ବାଘ, ସିଂହ, ଗଣ୍ଡା, ହାତୀ ଯେତେ ବଡ଼ ଜନ୍ତୁ ହେଉପଛକେ, କୁମ୍ଭୀର ଆଖି ଆଗରେ ଦେଖିଲେ ଅକୁଣ୍ଠିତଚିତ୍ତରେ ତା’ ଉପରେ ଚଢ଼ାଉ କରେ । ସେମାନଙ୍କ ସହିତ ଲଢ଼ିଲେ ଶେଷରେ ଫଳ କଅଣ ହେବ, ସେଥିପାଇଁ ତା’ର ଶୋଚନା ନ ଥାଏ ।

 

କୁମ୍ଭୀର ଯେ ନିତାନ୍ତ ନିର୍ବୁଦ୍ଧିଆ ଜୀବ, ଏହା କୁହାଯାଇ ନ ପାରେ । ନଈର ଗୋଟିଏ କୂଳରେ ରହି ଆରକୂଳରେ ଯଦି ତା’ର ଶିକାର ଥିବାର ସେ ଦେଖେ, ତେବେ ସଙ୍ଗେ ସଙ୍ଗେ ତୀରବେଗରେ ପହଁରି ଶିକାର ପାଖକୁ ଚାଲିଆସେ । ସେତେବେଳେ ସେ ଏଭଳି ଭାବରେ ପାଣିରେ ପହଁରେ ଯେ, କୁମ୍ଭୀର ଆସୁଛି ବୋଲି ସହଜରେ କେହି ଜାଣିପାରନ୍ତି ନାହିଁ । ପାଣି ଭିତରେ ସମଗ୍ର ଶରୀର ଲୁଚି ରହିଥାଏ । କେବଳ ମୁହଁର ଉପର ଥୋମଣିଟି ଯାହା ପାଣି ଉପରେ ଭାସୁଥାଏ । ଅତି ଯୋରରେ ପହଁରିଲେ ମଧ୍ୟ ପାଣି ଆଦୌ ହଲଚଲ ହୁଏ ନାହିଁ କି କୌଣସି ପ୍ରକାର ଶବ୍ଦ ଶୁଭେ ନାହିଁ । ଯେ ତା’ର ଗତି ଭଲରୂପେ ନିରୀକ୍ଷଣ କରୁଥିବ, ସେ କେବଳ ଦେଖିବ ଯେ, ପାଣି ଉପରେ ଗୋଟିଏ ସରୁ ସିଧା ଗାର ପଡ଼ି ସଙ୍ଗେସଙ୍ଗେ ମିଳାଇ ଯାଉଛି । ଏତେ ସାବଧାନରେ ଆସୁଥିବାରୁ ହତଭାଗ୍ୟ ଜୀବଟି କୁମ୍ଭୀର ସଂପର୍କରେ କୌଣସି ଆଶଙ୍କା କରିପାରେ ନାହିଁ; ଫଳରେ ଅଳ୍ପ ସମୟ ପରେ କୁମ୍ଭୀରର ପେଟ ଭିତରକୁ ଯାଇଥାଏ ।

Image

 

(୬)

 

କୁମ୍ଭୀର ସବୁ ପ୍ରାଣୀର ମାଂସ ଖାଏ; ଯାହାକୁ ଦେଖେ ତା’ ଉପରେ ଆକ୍ରମଣ କରେ । ତେଣୁ ସେ ସମସ୍ତଙ୍କର ଶତ୍ରୁ । ସେ ମଧ୍ୟ ସମସ୍ତଙ୍କୁ ନିଜର ଶତ୍ରୁ ମନେ କରେ । ତେଣୁ କୁମ୍ଭୀର ଦେଖିଲେ ସବୁ ପ୍ରାଣୀ ତାକୁ ମାରିବାକୁ ଚେଷ୍ଟା କରନ୍ତି ବା ସେଠାରୁ ପଳାଇ ଯାଆନ୍ତି । କେବଳ ପୃଥିବୀରେ ଗୋଟିଏ ମାତ୍ର ପ୍ରାଣୀ ଅଛି, ଯେ କି କୁମ୍ଭୀରର ବନ୍ଧୁ । ସେ କୁମ୍ଭୀରର ଉପକାର କରେ । କୁମ୍ଭୀର ଯେଉଁଠାରେ ଶୋଇଥାଏ, ଖୋଜି ଖୋଜି ସେଠାକୁ ଆସେ । ସେ ହେଉଛି ଗୋଟିଏ ଚଢ଼େଇ ।

 

କୁମ୍ଭୀର ପାଟି ଭିତରେ ଗୁଡ଼ାଏ ପୋକ ଜନ୍ମନ୍ତି । ସେ ପୋକ ସବୁବେଳେ ତାକୁ କାମୁଡ଼ି କିଲିବିଲି କରିପକାନ୍ତି । କୁମ୍ଭୀର ସେହି ପୋକମାନଙ୍କ ଲାଗି ଅନେକ ସମୟରେ ଛଟଛଟ ହୁଏ; ମାତ୍ର ସେମାନଙ୍କର କିଛି କ୍ଷତି କରିପାରେ ନାହିଁ । ସେ ଭୂଇଁ ଉପରେ ଶୋଇ ଖରା ପୁଆଉଥିଲାବେଳେ ପାଟିଟା ମେଲା କରି ଦେଇଥାଏ । ଚଢ଼େଇଗୁଡ଼ିକ ଉଡ଼ିଉଡ଼ି ଆସି ସେଠାରେ ପହଞ୍ଚନ୍ତି । କୁମ୍ଭୀର ପାଟି ଭିତରେ ପଶି ସେ ପୋକସବୁ ଥଣ୍ଟରେ ଆଣି ଖାଇଯାନ୍ତି । ସେତେବେଳେ କୁମ୍ଭୀରକୁ ବଡ଼ ଆରାମ ଲାଗେ । ଚଢ଼େଇଗୁଡ଼ିକଙ୍କର ଆହାର ମଧ୍ୟ ମିଳିଯାଏ । ଏହି ଚଢ଼େଇ କେବଳ କୁମ୍ଭୀର ରହିଥିବା ନଈ ବା ହ୍ରଦ କୂଳରେ ଥିବା ଗଛମାନଙ୍କରେ ବା ଅରମା ବଣରେ ବସାବାନ୍ଧି ରହିଥାଆନ୍ତି ।

 

Image

(କୁମ୍ଭୀର ଓ ତା’ର ଉପକାରୀ ବନ୍ଧୁ)

 

ବଣକୁ ବାଘ ଆସିଗଲେ ଗଛରେ ରହି ମାଙ୍କଡ଼ମାନେ କିଚିରିମିଚିରି ପାଟି କରି ଉଠନ୍ତି । ବଣର ପଶୁମାନଙ୍କୁ ଜଣାଇ ଦିଅନ୍ତି, ସମସ୍ତେ ସାବଧାନ, ବାଘ ଆସିଗଲା । ସେହିପରି କୁମ୍ଭୀର ପାଣି ଭିତରେ ଲୁଚି ଲୁଚି ପହଁରୁଥିବା ବେଳେ ପାଣିକୁଆ ଦଳ ବାନ୍ଧି ତା’ ମୁହଁ ସିଧା ଉପରେ ଉଡ଼ି ବୁଲନ୍ତି । ସେତେବେଳେ ସେମାନେ ଖୁବ୍‌ ଜୋରରେ ବୋବାଉଥାଆନ୍ତି । ସତେ ଯେପରି ସମସ୍ତଙ୍କୁ ସାବଧାନ କରି ଦେଉଥାଆନ୍ତି ।

 

ପୂର୍ବକାଳରେ ଇଜିପ୍‌ଟର ଲୋକେ କୁମ୍ଭୀରକୁ ଦେବତା ଭଳି ପୂଜା କରୁଥିଲେ । ନୀଳନଦୀରୁ କୁମ୍ଭୀର ଧରି ଆଣି ଦେବତା ମନ୍ଦିରରେ ପୋଖରୀ ଖୋଳାଇ ତାକୁ ରଖୁଥିଲେ ଓ ପ୍ରତିଦିନ ଭୋଗ ଲଗାଉଥିଲେ । ସେ କୁମ୍ଭୀର ମରିଗଲେ, ବଡ଼ ଆଡ଼ମ୍ବରରେ ତା’ର ମୃତଦେହକୁ ନେଇ କବର ଦେଉଥିଲେ । ସେଠାରେ ମନ୍ଦିର, ପୀରାମିଡ଼ ପ୍ରଭୃତି ମଧ୍ୟ ତୋଳୁଥିଲେ ।

 

ଭାରତର କୌଣସି କୌଣସି ଅଞ୍ଚଳରେ ଆଦିବାସୀମାନେ ମନ୍ତ୍ର ପଢ଼ି କୁମ୍ଭୀରକୁ ବଶ କରନ୍ତି ବୋଲି କୁହାଯାଇଥାଏ । କେହି କେହି କହନ୍ତି, ଏହି ମନ୍ତ୍ରପୂତ କୁମ୍ଭୀର କେବେହେଲେ ମଣିଷକୁ ମାରେ ନାହିଁ; ଏପରିକି ଯେଉଁ ଲୋକ ମନ୍ତ୍ର କରିଥାଏ, ତାହା ଗ୍ରାମର କୌଣସି ପୋଷା ଜୀବଜନ୍ତୁଙ୍କୁ ମଧ୍ୟ ଖାଏ ନାହିଁ ।

 

କୁମ୍ଭୀର ଆମର ତ ବହୁତ କ୍ଷତି କରେ, ତା’ ସଙ୍ଗେ ସଙ୍ଗେ କିଛି ହେଲେ ଉପକାର ମଧ୍ୟ କରେ । କୁମ୍ଭୀର ଚମଡ଼ାରେ ସୁଟ୍‌କେଶ, ଯୋତା, ମନିବ୍ୟାଗ ଓ ଅନ୍ୟାନ୍ୟ ଅନେକ ଦରକାରୀ ଜିନିଷ ତିଆରି ହୁଏ । ଏ ଚମଡ଼ା ଯେପରି ମୋଟା, ସେହିପରି ଖୁବ୍‌ ଟାଣ । ତେଣୁ ଏଥିରେ ତିଆରି ଜିନିଷ ଶୀଘ୍ର ଛିଡ଼ିଯାଏ ନାହିଁ କି ନଷ୍ଟ ହୁଏ ନାହିଁ । ଲୋକେ ପ୍ରଧାନତଃ ସେଇଥିପାଇଁ କୁମ୍ଭୀର ଶିକାର କରନ୍ତି ଏବଂ ଚମଡ଼ା ବିକି ଟଙ୍କା ରୋଜଗାର କରନ୍ତି । କେତେକ ଅଞ୍ଚଳରେ କୁମ୍ଭୀର ଚର୍ବିରୁ ତେଲ ବାହାର କରି ତାକୁ ଔଷଧରେ ଲଗାଯାଏ । ତା’ ଦାନ୍ତ ଓ ହାଡ଼ରେ ଆଫ୍ରିକାର ଆଦିବାସୀ ଲୋକେ ଅଳଙ୍କାର ତିଆରି କରନ୍ତି ।

 

ସମୟ ଥିଲା, ଯେତେବେଳେ କି କୁମ୍ଭୀର ଦାନ୍ତ ଇଜିପ୍‌ଟରେ ମୁଦ୍ରାରୂପେ ବ୍ୟବହୃତ ହେଉଥିଲା । ଯେଉଁ ଲୋକ ଯେତେ ବେଶି କୁମ୍ଭୀର ଦାନ୍ତ ରଖିଥିଲା, ସେ ସେତେ ବଡ଼ ଧନୀ । ଗୋଟିଏ ମଇଁଷି କି ଘୋଡ଼ା କିଣିବାକୁ ହେଲେ ଶହେରୁ ଦେଢ଼ଶହ ଯାଏ କୁମ୍ଭୀର ଦାନ୍ତ ଦେବାକୁ ପଡ଼ୁଥିଲା ।

 

ଆମ ଅଜାଣତରେ ମଧ୍ୟ କୁମ୍ଭୀର ଆମର ଗୋଟାଏ ବଡ଼ ଉପକାର କରେ । ନଈ, ହ୍ରଦ ପ୍ରଭୃତିରେ ବହୁତ ପ୍ରାଣୀ ପ୍ରତିଦିନ ମରନ୍ତି; କେତେ ମୃତ ଦେହ ମାଟି ଉପରୁ ଭାସି ଆସି ସେଥିରେ ପଡ଼େ । ସେହି ମୃତଦେହଗୁଡ଼ିକୁ କୁମ୍ଭୀର ସଙ୍ଗେ ସଙ୍ଗେ ଖାଇଯାଏ । ପାଣି ଭିତରେ ସେ ମେହେନ୍ତରର କାମ କରେ । ଏହି ମୃତଦେହ ଖାଇ ସେ ପାଣିକୁ ପରିଷ୍କାର କରୁନଥିଲେ, ତାହା ସଢ଼ି ପାଣି ବିଷାକ୍ତ ହୋଇ ଉଠନ୍ତା । ଅସଂଖ୍ୟ ମନୁଷ୍ୟ ଓ ଜୀବଜନ୍ତୁ ସେ ପାଣି ଖାଇ ମରିଯାଆନ୍ତେ-। ଏ ଦିଗରୁ କୁମ୍ଭୀର ଆମର ବନ୍ଧୁ କହିଲେ ଚଳେ ।

Image

 

(୭)

 

ଡାକ୍ତର ଲିଭିଂଷ୍ଟୋନ ଆଫ୍ରିକାର ବଣ ଜଙ୍ଗଲରେ ବୁଲୁଥିଲା ବେଳେ ବହୁତ ଥର କୁମ୍ଭୀର କବଳରେ ପଡ଼ିଥିଲେ । ମାତ୍ର ଈଶ୍ୱରଙ୍କ କୃପାରୁ ପ୍ରତ୍ୟେକ ଥର ସେ ଆଶ୍ଚର୍ଯ୍ୟ ଭାବରେ ରକ୍ଷା ପାଇଛନ୍ତି ।

 

ଥରେ ଲିଭିଂଷ୍ଟୋନ ତାଙ୍କର କେତେକ ନିଗ୍ରୋ ଚାକରଙ୍କ ସହିତ ପହଁରି ନଈ ପାର ହେଉଥିଲେ । ଜଣେ ନିଗ୍ରୋ ଦେଖିଲା ଯେ, ଗୋଟିଏ କୁମ୍ଭୀର ବାମ ପାଖରୁ ତାଙ୍କ ଆଡ଼କୁ ତୀବ୍ର ବେଗରେ ପହଁରି ଆସୁଛି । ଆଉ ଦଶ ମିନିଟ ପରେ ଏମାନେ ପହଁରି ପହଁରି ଯାଇ ଯେଉଁ ସ୍ଥାନରେ ପହଞ୍ଚିବେ, ଠିକ୍‌ ସେହି ସ୍ଥାନକୁ ଲକ୍ଷ୍ୟକରି କୁମ୍ଭୀର ଆସୁଛି ଏବଂ ସେ ଯେଉଁ ଗତିରେ ଆସୁଛି, ଦଶମିନିଟ ପରେ ତାଙ୍କୁ ଯେ ନିଶ୍ଚୟ ଭେଟିବ, ଏଥିରେ ସନ୍ଦେହ ନାହିଁ । ନିଗ୍ରୋ ଗୋଟିଏ ପାଖରେ ପହଁରୁଥିଲେ ମଧ୍ୟ କୁମ୍ଭୀରର ମତଲବ ବୁଝିପାରି ସମସ୍ତଙ୍କ ଆଗକୁ ଚାଲିଗଲା । ନିଜର ଘୋଡ଼ାଟିକୁ ସମସ୍ତଙ୍କ ଆଗକୁ ଠେଲିଦେଇ ସେମାନଙ୍କୁ ଶୀଘ୍ର ଫେରିପଡ଼ିବା ଲାଗି ହାତରେ ଠାରି କହିଦେଲା । ଲିଭିଂଷ୍ଟୋନ ତାଙ୍କ ସାଙ୍ଗ ଲୋକେ ସିଧା ବୁଲିପଡ଼ି ଯେଉଁ କୂଳରୁ ଯାଇଥିଲେ, ସେହି କୂଳକୁ ମୁହାଁଇଲେ । ଦଶମିନିଟ ଭିତରେ ସେମାନେ ଆସି ପ୍ରାୟ କୂଳରେ ଲାଗିଯାଇଥିଲେ । ତେଣେ କୁମ୍ଭୀର ଆସି ସେ ଘୋଡ଼ାଟିକୁ ଲକ୍ଷ୍ୟସ୍ଥଳରେ ଧଇଲା; ଲୋକମାନେ ରକ୍ଷା ପାଇଗଲେ ।

Image

 

(୮)

 

ଆଉ ଥରେ ଲିଭିଂଷ୍ଟୋନ ଗୋଟିଏ ନଈକୂଳରେ ତମ୍ବୁ ପକାଇ ବିଶ୍ରାମ ନେଉଥିଲେ । ତାଙ୍କ ଅନୁଚରଙ୍କ ଭିତରୁ ଗୋଟିଏ ନିଗ୍ରୋ ପାଣି ଆଣିବାକୁ ଯାଇଥିଲା । ହଠାତ୍‌ କୁମ୍ଭୀର ତା’ର ଗୋଟାଏ ଗୋଡ଼କୁ ଧରି ଗଣ୍ଡ ଭିତରକୁ ଘୋସାରି ନେଇଗଲା । ସେ ଲୋକ ଅଣ୍ଟାରେ ଗୋଟାଏ ଛୁରି ଥିଲା । କୁମ୍ଭୀର ହାବୁଡ଼ରେ ପଡ଼ି ସେ ହତୋତ୍ସାହ ହୋଇଗଲା ନାହିଁ, ଅଣ୍ଟାରୁ ଛୁରି ବାହାର କରି କୁମ୍ଭୀର କାନମୁଣ୍ଡାରେ ଏତେ ଜୋରରେ ଭୁଷିଦେଲା ଯେ, ଆଉ କାମୁଡ଼ି ଧରିବାର ଶକ୍ତି କୁମ୍ଭୀରର ରହିଲା ନାହିଁ । କୁମ୍ଭୀର ତାକୁ ଛାଡ଼ିଦେଲା ଓ କିଛି ଦୂରକୁ ପହଁରିଗଲା । ନିଗ୍ରୋ ଲୋକଟି ପାଣି ଆଣିବାକୁ ନେଇଥିବା ପାତ୍ର କୁମ୍ଭୀର ଆଡ଼କୁ ଭସାଇ ଦେଇ କିଛିଦୂର ଆଗକୁ ପହଁରି ଗଲା ଏବଂ ସେଠାରୁ କୁମ୍ଭୀର ଆଖିରେ ନ ପଡ଼ିବାଭଳି ବାଟ ଧରି ପହଁରି ଆସିଲା । କୁମ୍ଭୀର ମୁହୂର୍ତ୍ତକ ପରେ ପୁଣି ନିଜ ଶିକାର ଧରିବାକୁ ଆସି ପାଣି ମାଠିଆକୁ ଦେଖିଲା । ତାକୁ ଥୋମଣିରେ ଧରି ଉପରକୁ ଫିଙ୍ଗିବାକୁ ଲାଗିଲା । ସେ ମାଠିଆକୁ ଶିକାର ଭାବି ତା’ ସହିତ ଲାଗିଥିବା ସମୟ ମଧ୍ୟରେ ଲୋକଟି ଆସି କୂଳରେ ପହଞ୍ଚିଗଲା ।

Image

 

(୯)

 

ଥରେ ବଢ଼ି ପାଣିର ଗୋଟାଏ ବଡ଼ କୁମ୍ଭୀର କୁଆଡ଼ୁ ଚାଲି ଆସିଥିଲା । ବଢ଼ି ଛାଡ଼ିଗଲା ପରେ ଗୋଟିଏ ଗଣ୍ଡସ୍ଥାନ ଦେଖି ନିଶ୍ଚିନ୍ତରେ ରହିଲା । ନଈର ଅଳ୍ପ ଦୂରରେ ଗ୍ରାମ । ଗ୍ରାମର ଲୋକେ ପ୍ରତିଦିନ ନଈକୁ ଗାଧୋଇବାକୁ ଆସନ୍ତି । ଗାଈ, ଗୋରୁ, ଛେଳି ପ୍ରଭୃତି ନଈ ପାରହୋଇ ଆରପାଖ ବିଲକୁ ଚରିବାକୁ ଯାଆନ୍ତି । ତେଣୁ କୁମ୍ଭୀରର ଭାଗ୍ୟ ଫେରିଗଲା । ପ୍ରତିଦିନ ସେ ଗାଈ ଗୋରୁ ମାରି ଖାଇଲା, ଦୁଇ ଚାରିଜଣ ଲୋକଙ୍କୁ ମଧ୍ୟ ମାଇଲା । ଗ୍ରାମରେ ଆତଙ୍କ ପଡ଼ିଗଲା । ଆଉ କେହି ନଈକୁ ଆସିଲେ ନାହିଁ; ଗାଈ ଗୋରୁ ମଧ୍ୟ ଛାଡ଼ିଲେ ନାହିଁ ।

 

ପ୍ରଥମେ କେତେମାସ ସିନା ମଉଜରେ କଟିଥିଲା; ମାତ୍ର ଲୋକେ ସାବଧାନ ହୋଇଯିବାରୁ କୁମ୍ଭୀର ଆଉ କିଛି ଖାଇବାକୁ ପାଇଲା ନାହିଁ । ଭୋକ ଉପାସରେ ଛଟପଟ ହେଲା । ସବୁ ସମୟରେ ଆସି ନଦୀର ବନ୍ଧ ଉପରେ ପଡ଼ି ରହିଥାଏ । କେତେବେଳେ ଗୋଟାଏ ଶିକାର ପାଇବ, ଏହି ଆଶା; ମାତ୍ର ସେ ଆଶା ପୂରଣ ହୁଏ ନାହିଁ । ଲୋକେ ମଧ୍ୟ କୁମ୍ଭୀରକୁ ମାରିବାକୁ ବହୁତ ଚେଷ୍ଟା କଲେ, କିନ୍ତୁ ମାରି ପାରିଲେ ନାହିଁ ।

 

ଦିନେ ସେ ଉପରେ ଶୋଇରହି ମନେମନେ ଶିକାର ଖୋଜୁଥିଲା । ହଠାତ୍‌ ଆଗକୁ ଚାହିଁ ଦେଖିଲା, ବହୁତ ଦୂରରେ ଗୋଟାଏ ବଡ଼ ବଳଦ ଚରୁଅଛି । କୁମ୍ଭୀର ପାଟିରୁ ବୋଧହୁଏ ଲାଳ ବୋହିପଡ଼ିଲା । ବହୁତ ଦିନ ଉପାସରେ କଟିଲା ପରେ ଆଜି ଗୋଟାଏ ଭଲ ଆହାର ମିଳିଛି । କୁମ୍ଭୀର ଖୁସି ମନରେ ବଳଦ ଆଡ଼କୁ ମୁହାଁଇଲା ।

 

କିଛି ବାଟ ଗଲା ପରେ ସେ ଦେଖିଲା, ବଳଦ ତଥାପି ଦୂରରେ ରହିଛି । ବିଲରେ ଗୋଟାଏ ଖୁଣ୍ଟ ପୋତା ହୋଇଛି । ସେ ଖୁଣ୍ଟରେ ମସ୍ତବଡ଼ ଲମ୍ବା ଦଉଡ଼ା ବନ୍ଧା ହୋଇଛି । ସେହି ଦଉଡ଼ାର ଆରପାଖ ବଳଦ ବେକରେ ଲାଗିଛି । ବଳଦ ଏକ ମନରେ ମୁହଁ ପୋତି ଘାସ ଚରୁଛି ।

 

କୁମ୍ଭୀର ଆଉ ବଳଦ ପାଖକୁ ଗଲା ନାହିଁ । ସେ ବୋଧହୁଏ ଭାବିଲା, ଏତେ ପରିଶ୍ରମ କରିବି କାହିଁକି ? ଏଇଠାରୁ ଦଉଡ଼ା କାମୁଡ଼ି ଟାଣିଲେ ବଳଦ ତ ନିଶ୍ଚୟ ମୋ ପାଖକୁ ଆସିଯିବ ।

 

କିମ୍ବା ବଳଦ ଚରୁଥିଲାବେଳେ ଖୁଣ୍ଟ ପାଖରେ ଦଉଡ଼ାଟା ହଲଚଲ ହେଉଥାଏ । କୁମ୍ଭୀର ତାକୁ କୌଣସି ଜନ୍ତୁ ମନେ କଲା । ବଳଦକୁ ଖାଇବା ଆଗରୁ ସେହି ଛୋଟ ଜୀବଟିକୁ ଖାଇବ ବୋଲି ମନରେ ପାଞ୍ଚିଲା ।

 

ଯାହାହେଉ ନା କାହିଁକି, ସେ ସେହି ଖୁଣ୍ଟକୁ ଦାନ୍ତରେ କାମୁଡ଼ି ଝିଙ୍କିଦେଲା । ସଙ୍ଗେସଙ୍ଗେ ଖୁଣ୍ଟ ଉପୁଡ଼ି ଆସିଲା । କୁମ୍ଭୀର ମହା ଖୁସି । ସେ ଖୁଣ୍ଟକୁ କାମୁଡ଼ି ଘୋଷାରି ଆଣିଲା ବେଳକୁ ବଳଦ ଟାଣି ହୋଇଗଲା । ପଛକୁ ଚାହିଁ କୁମ୍ଭୀରକୁ ଦେଖିପାରିଲା । ଅତର୍ଚ୍ଛରେ ଛାଟିପିଟି ହୋଇ ପଳାଇ ଯିବାକୁ ସେ ଚେଷ୍ଟା କଲା । ଏଣେ କୁମ୍ଭୀର ପାଣି ଆଡ଼କୁ ଆସିବାକୁ ତାକୁ ଟାଣିଲା ।

 

ଏହିପରି ଟଣାଟଣିରେ ବାଉଁଶ ଖୁଣ୍ଟ କୁମ୍ଭୀରର ତଣ୍ଟି ଭିତରକୁ ଚାଲିଗଲା ଓ ତାହା ଆଡ଼ ଭାବରେ ରହିଯିବାରୁ କୁମ୍ଭୀର ତାକୁ ଓଗାଳି ଦେଇପାରିଲା ନାହିଁ । ଭୂଇଁ ଉପରେ ବଳଦର ଜୋର ବେଶି । ସେ ହମ୍ବାରଡ଼ି ଛାଡ଼ି ଗାଁ ଆଡ଼କୁ ଦଉଡ଼ିଲା । ଅଖଞ୍ଜରେ ପଡ଼ି କୁମ୍ଭୀର ବି ପଛରେ ଟାଣି ହୋଇ ଘୁଷୁରି ଘୁଷୁରି ଗଲା ।

 

ଗାଁ ଦାଣ୍ଡରେ ଲୋକେ କୁମ୍ଭୀରର ଏପରି ଅବସ୍ଥା ଦେଖି ମହାଖୁସି । ସମସ୍ତେ ମିଶି ତାକୁ ପିଟିପିଟି ମାରି ପକାଇଲେ । ବିଚାରା ବଳଦକୁ ଖାଇବ ବୋଲି ଆଶା କରି ଆସି ନିଜ ଜୀବନ ଦେଲା ।

Image

 

(୧୦)

 

କେତେଜଣ ଲୋକ ଶିକାର କରିବାକୁ ବଣକୁ ଯାଇଥିଲେ । ନଈକୂଳରେ ତମ୍ବୁ ପକାଇ ରହିଲେ । ସେମାନଙ୍କ ଭିତରୁ ଜଣେ ରୋଷାଇ କରିବାକୁ ସେଠାରେ ରହିଲା । ଅନ୍ୟମାନେ ବଣ ଭିତରକୁ ଶିକାର ଉଦ୍ଦେଶ୍ୟରେ ଚାଲିଗଲେ ।

 

ସନ୍ଧ୍ୟା ହେବାକୁ ଆଉ ଅଳ୍ପ ସମୟ ଅଛି । ତମ୍ବୁରେ ଥିବା ଶିକାରୀ ଜଣକ ଦେଖିଲେ, ନଈ ମଝି ପଠାରେ ଗୁଡ଼ିଏ ଚଢ଼େଇ ବସିଅଛନ୍ତି । ସେ କୂଳରୁ ବନ୍ଧୁକ ଚଳାଇ କେତୋଟି ଚଢ଼େଇ ମାଇଲେ । ସେମାନଙ୍କୁ ତମ୍ବୁକୁ ଘେନି ଆସିବାପାଇଁ ପାଣିରେ ପହଁରି ପଠାକୁ ଗଲେ ଓ ଚଢ଼େଇତକ ଧରି ଫେରିଲେ । ବନ୍ଧ ଉପରକୁ ଉଠିବାକୁ ଆଉ ଅଳ୍ପ ବାଟ ଅଛି, ଦେଖିଲେ ଗୋଟାଏ ବଡ଼ କୁମ୍ଭୀର ତାଙ୍କୁ ଲକ୍ଷ୍ୟ କରି ଧାଇଁଛି । ସେ ତରବରରେ କୂଳକୁ ଚାଲି ଆସିଲେ ଓ ପାଖରେ ଥିବା ଗୋଟାଏ ବଡ଼ ଗଛ ଉପରକୁ ଚଢ଼ିଗଲେ । ସେ ଭାବିଥିଲେ, କୁମ୍ଭୀର ମୋତେ ନ ପାଇ ଅନ୍ୟତ୍ର ଚାଲିଯିବ । ତା’ପରେ ମୁଁ ଗଛରୁ ଓହ୍ଲାଇ ତମ୍ବୁକୁ ଯିବି; ମାତ୍ର ଦେଖିଲେ, କୁମ୍ଭୀର ସେହିଠାରେ ପାଣି ଭିତରେ ଶୋଇରହିଲା ।

 

କିଛି ସମୟ କଟିଗଲା ।

 

ଯାହା କହନ୍ତି, ବିପଦ ଏକାକୀ ଆସେ ନାହିଁ; ସାଙ୍ଗସାଥୀ ଧରି ଆସେ । ବଣ ଭିତରୁ ଗୋଟାଏ ମହାବଳ ବାଘ ଆସି ସେଠାରେ ପହଞ୍ଚିଗଲା । ସେ ମଣିଷର ଗନ୍ଧ ବାରି ସେହି ଗଛ ମୂଳରେ ବସି ରହିଲା ।

 

ଶିକାରୀ ଦେଖିଲେ, ମହାବିପଦ । ଏକମାତ୍ର କୁମ୍ଭୀର ଛକି ଥିଲା, ବର୍ତ୍ତମାନ ପୁଣି ବାଘ ଛକିଲାଣି । ଏ ଦୁଇଟି ସାକ୍ଷାତ ଯମ ହାତରୁ ରକ୍ଷା ପାଇବା ଅସମ୍ଭବ ।

 

ଏହିପରି କେତେ କଅଣ ଭାବୁଭାବୁ ତାଙ୍କ ମୁଣ୍ଡରେ ଗୋଟାଏ ବୁଦ୍ଧି ଖେଳିଗଲା । ସେ ଗଛ ଡାଳରୁ ଅନେକଗୁଡ଼ିଏ ଫଳ ତୋଳିଲେ । ପିନ୍ଧିଥିବା ପୋଷାକକୁ ଦେହରୁ କାଢ଼ି ପକାଇ ସେଥିରେ ଫଳତକ ବାନ୍ଧିଦେଲେ । ପାଣିରେ ପହଁରିଲା ବେଳେ ସେ ପୋଷାକ ଓଦା ହୋଇଥିଲା । ସେଥିରେ ପୁଣି ଫଳଗୁଡ଼ିଏ ବନ୍ଧା ହେବାରୁ ତାହା ଟିକିଏ ଭାରି ହେଲା । ଶିକାରୀ ସେହି ପୁଡ଼ାଟିକୁ କୁମ୍ଭୀର ପାଖକୁ ପାଣି ଭିତରକୁ ଫିଙ୍ଗିଦେଲେ । ଭୁଷ୍‌କିନା ଶବ୍ଦ ଶୁଣାଗଲା ଓ ପାଣି ଜୋରରେ ଚହଲିଗଲା ।

 

କୁମ୍ଭୀର ଭାବିଲା, ଲୋକଟି ଏଇଠାରେ ଗଳିପଡ଼ିଲା । ସେ ଶିକାର ଧରିବା ପାଇଁ ସେଠାକୁ ପହଁରିଗଲା । ଠିକ୍‌ ସେହି ସମୟରେ ଗଛ ମୂଳରୁ ବାଘ ଦଉଡ଼ି ଆସି ପାଣିରେ କୁଦିପଡ଼ିଲା । ଶବ୍ଦ ଶୁଣି ସେ ତା’ ଶିକାର ଧରିବାକୁ ଆସିଥିଲା । ସେ ଶିକାର ଧରିବ କଅଣ ଶିକାର ଓଲଟି ତାକୁ ଧଇଲା ।

 

ବାଘ କୁଦି ଠିକ୍‌ କୁମ୍ଭୀର ଉପରେ ପଡ଼ିଲା । କୁମ୍ଭୀର ତାକୁ ଶିକାର ଭାବିଲା । ସେ ବାଘ ଗୋଡ଼କୁ ଜୋରରେ କାମୁଡ଼ି ଧରିଲା । ବାଘ ମଧ୍ୟ ତା’ ନଖ ଓ ଦାନ୍ତରେ କୁମ୍ଭୀରର ନାକ, ମୁହଁ, ଥୋମଣିକୁ ରାମ୍ପୁଡ଼ି କାମୁଡ଼ି ବ୍ୟତିବ୍ୟସ୍ତ କରି ପକାଇଲା । କୁମ୍ଭୀର ବାଘକୁ ପାଣି ଭିତରକୁ ଟାଣିନେବାକୁ ଚେଷ୍ଟା କରୁଥାଏ; ବାଘ କୁମ୍ଭୀରକୁ ଶୁଖିଲାକୁ ଘୋଷାରି ଆଣିବା ମତଲବରେ ଥାଏ । ଦୁହିଁଙ୍କ ଭିତରେ ତୁମୂଳ ଯୁଦ୍ଧ ଲାଗିଗଲା । ଲୋକଟି ଉଲଗ୍ନ ଅବସ୍ଥାରେ ଗଛ ଉପରେ ବସି ମଜା ଦେଖୁଥାଏ ।

 

ଏହି ସମୟରେ ସାଙ୍ଗ ଶିକାରୀମାନେ ତାକୁ ଖୋଜିଖୋଜି ଆସି ସେଠାର ପହଞ୍ଚିଲେ । ସାଙ୍ଗମାନଙ୍କୁ ଦେଖି ତା’ ମନରେ ଦମ୍ଭ ଆସିଲା । ସେ ଗଛରୁ ଓହ୍ଲାଇ ତଳକୁ ଆସିଲା ଓ କୁମ୍ଭୀର ବାଘ ଯୁଦ୍ଧ କଥା ବର୍ଣ୍ଣନା କଲା । ସେତେବେଳକୁ ଘୋର ଅନ୍ଧାର ହୋଇଯାଇଥିଲା ।

 

ପରଦିନ ଶିକାରୀମାନେ ଯାଇ ଦେଖିଲେ, ବାଘ ଓ କୁମ୍ଭୀରଙ୍କ ଯୁଦ୍ଧ ଶେଷ ହୋଇଯାଇଛି-। କିଏ ଜିତିଛି, କିଏ ହାରିଛି ତାହା ଠିକ୍‌ କହି ହେବ ନାହିଁ । ମାତ୍ର ଦୁହେଁଯାକ ମରି ଶୋଇଛନ୍ତି ।

Image

 

(୧୧)

 

ଜଣେ ଶିକାରୀ କୁମ୍ଭୀର ମାରିବାକୁ ଯାଇ କିପରି ବିପଦରେ ପଡ଼ିଥିଲେ, ତାହା ବର୍ଣ୍ଣନା କରି ଲେଖିଛନ୍ତି–ଜୟପୁର ଗୋଟିଏ ଚାରିପାଖ ପାହାଡ଼ଘେରା ଛୋଟ ରାଜ୍ୟ । ସେଠାର ନଦୀ ଓ ହ୍ରଦରେ ଅସଂଖ୍ୟ କୁମ୍ଭୀର । କୁମ୍ଭୀର ଚମଡ଼ାର ମୂଲ୍ୟ ବେଶି । ମୁଁ କୁମ୍ଭୀର ମାରି ପ୍ରତି ମାସରେ ଚମଡ଼ା ଯୋଗାଇବି ବୋଲି ଗୋଟିଏ କମ୍ପାନୀ ସହିତ କଥାବାର୍ତ୍ତା କରିନେଲି । ତା’ପରେ ଜୟପୁର ରାଜାଙ୍କୁ ଉପଯୁକ୍ତ ଜରସମନ ଦେଇ ରାଜ୍ୟରେ କୁମ୍ଭୀର ଶିକାର କରିବାର ଅନୁମତି ପାଇଲି ।

 

ପ୍ରଥମ ମାସଟି ବେଶ୍‍ ସୁରୁଖୁରୁରେ କାମ ଚଳିଗଲା । ମୁଁ ଯଥେଷ୍ଟ କୁମ୍ଭୀର ମାରି ଚମଡ଼ା ରପ୍ତାନୀ କରିଦେଲି । କାମ ଜୋରସୋରରେ ଚାଲିବାରୁ ଅନେକଗୁଡ଼ିଏ ଶିକାରୀ ଓ ସାହାଯ୍ୟକାରୀ ଚାକର ନିଯୁକ୍ତ କଲି ।

 

ମାତ୍ର ଦ୍ୱିତୀୟ ମାସକୁ ସମସ୍ତ ଭଣ୍ଡୁର ହୋଇଗଲା । ଶିକାରୀମାନେ ସବୁ ନଦୀ ଓ ହ୍ରଦକୂଳ ବୁଲିବୁଲି ସନ୍ଧ୍ୟାକୁ ଖାଲି ହାତରେ ଫେରିଆସନ୍ତି । ଗୋଟିଏ ହେଲେ କୁମ୍ଭୀର ପାଆନ୍ତି ନାହିଁ । କୁମ୍ଭୀରଗୁଡ଼ାକ କୁଆଡ଼େ ଯେ ଗଲେ, ତାହା ମୁଁ ବୁଝିପାରୁ ନ ଥାଏ ।

 

ରାଜ୍ୟ ମଧ୍ୟରେ ଯେ ଦୁଇ ତିନୋଟି ନଈ, ସେ ସବୁ ବହୁ ଦୂରରେ ବଣ ଭିତରେ ଥିବା ‘ରାମସାଗର’ ହ୍ରଦରେ ପଡ଼ିଛନ୍ତି । ମୁଁ ମନେ କଲି, ନଈରୁ ସବୁ କୁମ୍ଭୀର ଭୟରେ ଯାଇ ସେ ହ୍ରଦରେ ଆଶ୍ରୟ ନେଇଛନ୍ତି । ମୋ ଶିକାରୀମାନଙ୍କୁ ସେଠାକୁ ପଠାଇଲି । ସେମାନେ ସେଠାରେ ଦୁଇ ତିନି ଦିନ ଚେଷ୍ଟା କରି ନିରାଶରେ ଫେରିଲେ ।

 

ମୋ ମନ ଆଉ ଥୟ ହେଲା ନାହିଁ । ମୁଁ ମୋ ବନ୍ଧୁକ ଓ କିଛି ଖାଦ୍ୟଦ୍ରବ୍ୟ ଧରି ସକାଳୁ ବାହାରିପଡ଼ିଲି । ପ୍ରାୟ ଦିନ ବାରଟା ସୁଦ୍ଧା ରାମସାଗର କୂଳରେ ପହଞ୍ଚିଲି । ତା’ର ଗୋଟିଏ ପାଖରେ ଉଚ୍ଚ ପାହାଡ଼ । କୂଳରେ କେତେଗୁଡ଼ିଏ ବଡ଼ ବଡ଼ ଗଛ ଠିଆହୋଇଛି । ସେଥିରୁ କେତେକ ଗଛ ଓ ଗଛର ଡାଳ ପାଣି ଉପର ଦେଇ ପାହାଡ଼ ଆଡ଼କୁ ଲମ୍ବି ଯାଇଛି ।

 

ମୁଁ ସେହିପରି ଗୋଟିଏ ବଡ଼ ଗଛରେ ଚଢ଼ି ବସିରହିଲି । କିଛି ସମୟ ପରେ ଦେଖିଲି, ଶହ ଶହ କୁମ୍ଭୀର ହ୍ରଦରୁ ବାହାରି କୂଳରେ ଶୁଖିଲାରେ ବୁଲିଲେ । ତିନି ଚାରିଫୁଟ ଲମ୍ବାର ଛୁଆଠାରୁ ଆରମ୍ଭ କରି ପଚିଶ ଛବିଶ ଫୁଟର ଖୁବ୍‌ ବଡ଼ ବଡ଼ କୁମ୍ଭୀର । ସମସ୍ତେ ବାଲି ଓ ଘାସ ଉପରେ ଶୋଇରହି ଖରା ଖାଇଲେ । ଏତେ କୁମ୍ଭୀର ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଶିକାରୀ ଓ ଚାକରଙ୍କ ଉପରେ ମନେମନେ ବଡ଼ ରାଗିଲି । ଭାବିଲି, ସେମାନେ ଏଠାକୁ ନ ଆସି ମିଛରେ ମୋତେ ଠକି ଦେଉଛନ୍ତି । ଏଠାରେ ଏତେ କୁମ୍ଭୀର; ସେମାନେ ଆସୁଥିଲେ କଅଣ ଦୁଇ ଚାରିଟା ନ ମାରି ଫେରି ଯାଉଥାଆନ୍ତେ !

 

କିଛି ସମୟ ପରେ ମୋର ଶିକାରୀମାନେ ଆସିଗଲେ । ତାଙ୍କୁ ଦେଖି ମୁଁ ଟିକିଏ ଖୁସି ହେଲି । ସେହି ସମୟରେ ଗୋଟାଏ ଅତି ତୀବ୍ର ଗର୍ଜନ ବଂଶୀ ବାଜିଲାଭଳି ଶୁଣାଗଲା । ସେହି ଶବ୍ଦ ଶୁଣି ସବୁ କୁମ୍ଭୀର ଖପ୍‌ଖାପ୍‍ ପାଣି ଭିତରକୁ ଡେଇଁପଡ଼ିଲେ । ହ୍ରଦର ଅଗାଧ ଜଳରେ କେଉଁଠି ଯେ ଲୁଚିଗଲେ, ଆଉ ପତ୍ତା ମିଳିଲା ନାହିଁ ।

 

ଶବ୍ଦକୁ ଅନୁସରଣ କରି ମୁଁ ଚାହିଁ ଦେଖିଲି, କୂଳର କେତେକ ଦୂରରେ ବାଟ ପାଖରେ ଗୋଟାଏ ଉଚ୍ଚ ମୁଣ୍ଡିଆ ରହିଛି । ତା’ ଉପରେ ଗୋଟାଏ ମସ୍ତବଡ଼ କୁମ୍ଭୀର । ସେ ଶିକାରୀମାନଙ୍କୁ ଦେଖି ଏପରି ଶବ୍ଦ କଲା ସେ ଶବ୍ଦ ଶୁଣି କୁମ୍ଭୀରମାନେ ଲୁଚିଗଲେ । ବୋଧହୁଏ ପ୍ରତିଦିନ ଏହିପରି ହେଉଛି; ତେଣୁ ଗୋଟିଏ ହେଲେ କୁମ୍ଭୀର ମରୁନାହାନ୍ତି ।

 

ମୁଁ ଦେଖିଲି, ସବୁ କୁମ୍ଭୀର ପାଣିରେ ଲୁଚିଗଲା ପରେ ସେହି ସର୍ଦ୍ଦାର କୁମ୍ଭୀର ମୁଣ୍ଡିଆ ଉପରୁ ତଳକୁ ଆସିଲା । ତା’ପରେ ତରତରରେ ମୁଁ ବସିଥିବା ଗଛତଳ ଦେଇ ପାଣି ଭିତରକୁ ଚାଲିଗଲା ।

 

ମୋ ଶିକାରୀମାନେ ହ୍ରଦର ଚାରିପାଖରେ ବହୁତ ସମୟ ବୁଲିଲେ । ତା’ ପରେ ନିରାଶ ହୋଇ ତମ୍ବୁକୁ ଫେରିଗଲେ ।

 

ପ୍ରାୟ ଦୁଇଘଣ୍ଟା ପରେ ସେହି ସର୍ଦ୍ଦାର ପୁଣି ପାଣିରେ ଭାସି ଉଠିଲା । ସେ ଚାରିଆଡ଼କୁ ଚାହିଁ, ଯେତେବେଳେ ଜାଣିପାରିଲା ଯେ, ବିପଦ କଟିଗଲାଣି, ସେତେବେଳେ ସେହିପରି ଶବ୍ଦ କଲା-। ଏଥରର ଶବ୍ଦ କୋମଳ ଓ ରହିରହି ହେଉଥାଏ । ତା’ ପରେ ପରେ କୁମ୍ଭୀର ସବୁ ପାଣି ଭିତରୁ ବାହାରି ଉପରେ ଭାସିଲେ ଏବଂ ଦଳ ଦଳ ହୋଇ କୂଳକୁ ଉଠିଗଲେ । ଶୁଖିଲାରେ ବିଛାଇ ହୋଇ ଏଭଳି ଭାବରେ ଶୋଇରହିଲେ ଯେ, ତଳେ ଯେ ବାଲି କି ଘାସ ଅଛି, ତାହା ଆଉ ବୁଝାଗଲା ନାହିଁ-। ସର୍ଦ୍ଦାର ଯାଇ ସେହି ଉଚ୍ଚମୁଣ୍ଡିଆ ଉପରେ ଶୋଇ ପଡ଼ିଲା ।

 

ଅପରାହ୍ନ ଚାରିଟା ବେଳକୁ ପୁଣି ମୋ ଶିକାରୀମାନେ ଆସିଲେ । ତାଙ୍କୁ ଦେଖି ସର୍ଦ୍ଦାର ସେହିପରି କର୍କଶ ଶବ୍ଦରେ ବଂଶୀ ବଜାଇଲା । ଯେପରିକି କୁମ୍ଭୀରମାନଙ୍କୁ ସଙ୍କେତ ଦେଲା, ‘‘ପଳାଇ ଯାଅ, ବିପଦ ଆସିଗଲା ।’’ ସବୁ କୁମ୍ଭୀର ସଙ୍ଗେସଙ୍ଗେ ପାଣିକୁ ଡେଇଁପଡ଼ି ଲୁଚିଗଲେ ।

 

ଏହି ସମୟ ଭିତରେ ମୁଁ ମୋ କର୍ତ୍ତବ୍ୟ ସ୍ଥିର କରିନେଲି । ମୋ ବନ୍ଧୁକଟିକୁ ସଜାଡ଼ି ଠିକ୍‌ରୂପେ ଧରି ଚାହିଁ ବସିଲି । ମୁଁ ଜାଣେ, ସର୍ଦ୍ଦାର ବର୍ତ୍ତମାନ ଏଇ ଗଛତଳ ଦେଇ ହ୍ରଦ ଭିତରକୁ ଚାଲିଯିବ । ସେହି ସମୟରେ ଗୁଳିରେ ତାକୁ ମାରିଦେଇ ପାରିଲେ, ମୋର କାମ ଅତି ସହଜ ହୋଇପଡ଼ିବ । ସର୍ଦ୍ଦାର ମଲାପରେ ଅନ୍ୟ କୁମ୍ଭୀରଙ୍କୁ ମାରିବାରେ ଆଉ କିଛି ବାଧା ରହିବ ନାହିଁ ।

 

ସବୁ କୁମ୍ଭୀର ପାଣି ଭିତରେ ଅଦୃଶ୍ୟ ହେଲାପରେ ସର୍ଦ୍ଦାର ମୋ ଗଛତଳ ଦେଇ ଝୁଲିଝୁଲି ପାଣିକୁ ଚାଲି ଯାଉଥିଲା । ମୁଁ ବନ୍ଧୁକ ଫୁଟାଇଲି । ଗୁଳିଯାଇ ତା’ ପିଠିରେ ବାଜିଲା । ତା’ ପରେ ଗୋଟାଏ ଭୀଷଣ ଗର୍ଜନ କରି ସେ ପାଣି ଭିତରକୁ ଏତେ ଜୋରରେ କୁଦିପଡ଼ିଲା ଯେ, ପାଣି ଦୁଇଭାଗ ହୋଇଗଲା ପରି ଜଣାପଡ଼ିଲା ।

 

ମୋ ଗୁଳି ତାକୁ ନିଶ୍ଚୟ ଘାଏଲା କରିଥିବ । ମୁଁ ଭାବିଲି, ସେ ଆଉ ବେଶି ସମୟ ପାଣି ଭିତରେ ନ ରହି ପୁଣି ଉପରକୁ ଭାସି ଉଠିବ । ସେତେବେଳେ ଦ୍ୱିତୀୟଥର ଗୁଳି ଚଳାଇ ତା’ର ପ୍ରାଣ ନେବି–ଏଇ ଆଶାରେ ବନ୍ଧୁକକୁ ବାଗେଇ ଧରି ମୁଁ ପାଣି ଭିତରକୁ ଚାହିଁ ବସି ରହିଲି ।

 

ଏଇ ଅବସ୍ଥାରେ ଯେ କେତେ ସମୟ ବସିଛି, ତା’ ଆଉ ମୋର ଖିଆଲ ନାହିଁ । ହଠାତ୍‌ ଜୋର ପବନ ବହିଲା ଓ ଘଡ଼ଘଡ଼ି ଚଡ଼ଚଡ଼ି ସହ ଝଡ଼ତୋଫାନ ମାଡ଼ିଆସିଲା । ତୋଫାନରେ ମୁଁ ବସିଥିବା ଗଛର ଡାଳ କେବଳ ତଳ ଉପର ହେଲା । ମୋ ବନ୍ଧୁକ, ଖାଦ୍ୟଦ୍ରବ୍ୟ ଆଦି ସବୁ କୁଆଡ଼େ ଯେ ଉଡ଼ିଗଲା, ତାହା ଦେଖିବାକୁ ମୋର ଧୈର୍ଯ୍ୟ ନଥିଲା । ପାଣିରେ ପଡ଼ିଯିବା ଭୟରେ ମୁଁ ମୋ କମରପଟି ଅଣ୍ଟାରୁ ଫିଟାଇ ଗଛଡାଳ ସହିତ ମୋତେ ବାନ୍ଧି ପକାଇଲି ।

 

ଏଇ ସମୟରେ ଦେଖିଲି, ସେହି ସର୍ଦ୍ଦାର ବାଘା କୁମ୍ଭୀର ତା’ର ବିଶାଳ ପାଟି ମେଲାଇ ପାଣି ଉପରେ ଭାସିଉଠିଲା । ଓଃ, ସେ ମୁହଁ କି ଭୀଷଣ ! ତଳ ଉପର ପାଟିର ଦୁଇପାଖରେ ସରୁ ସରୁ ଲମ୍ବା ମୁନିଆଁ ଦାନ୍ତ ଦେଖିଲେ ଯେତେ ବଡ଼ ସାହସୀ ଲୋକ ହେଉ ପଛକେ, ତା’ ରକ୍ତ ପାଣି ହୋଇଯିବ । ସେ ହ୍ରଦ କୂଳକୁ ଚାଲିଗଲା ଓ ମୁଁ ବସିଥିବା ଗଛ ଉପରେ ଚଢ଼ି ମୋରି ଆଡ଼କୁ ଆସିଲା । ମୋତେ ଜଣା ପଡ଼ୁଥାଏ, ସେ ଯେପରି ମୋ ଅବସ୍ଥା ଦେଖି ଅତି ଉଚ୍ଚରେ ଅଟ୍ଟହାସ୍ୟ କରୁଛି । ଉପଯୁକ୍ତ ପ୍ରତିଶୋଧ ନେବ-ତା’ ମୁହଁରେ ସେଇ ଭାବ ଖେଳୁଛି ।

 

ମୋର ପଳାଇ ଯିବାର କୌଣସି ଉପାୟ ନାହିଁ । ବଡ଼ ବଡ଼ ପାଣି ଟୋପା ଉପରୁ ପଡ଼ୁଛି-। ପବନରେ ଗଛଟି ତଳ ଉପର ହେଉଛି । ଯେଉଁ ବାଟ ଦେଇ ମୁଁ ଓହ୍ଲାଇ ଯାଆନ୍ତି, ସେହି ବାଟରେ କୁମ୍ଭୀର । ସେ ସମୟରେ ମୋର ନିଷ୍ଠୁର ଶିକାରୀ ଜୀବନରେ ମଧ୍ୟ ପୁରାଣର ଗଜ–କୁମ୍ଭୀର ଉପାଖ୍ୟାନ ମନେ ପଡ଼ିଗଲା । ହାତୀ, କୁମ୍ଭୀର ମୁହଁରେ ପଡ଼ି ଭଗବାନଙ୍କୁ ଡାକିଥିଲା । ମୋ ମୁହଁରୁ ବାହାରି ପଡ଼ିଲା, ‘‘ହରିହେ, ଏତେବେଳେ ତୁମେ ହିଁ ଭରସା ।’’

 

କୁମ୍ଭୀର ମୋ ଆଡ଼କୁ ମାଡ଼ି ଆସିଲା । ତା’ ମୋ ଭିତରେ ଆଉ ଆଠ ଦଶ ହାତ ଦୂରତ୍ୱ । ମଝିରେ ଗୋଟାଏ ମୋଟା ଡାଳ । କୁମ୍ଭୀର ସେ ଡାଳ ଟପି ମୋ ପାଖକୁ ଆସିବାକୁ ଚେଷ୍ଟା କଲା । ଗଛ କଡ଼ ଦେଇ ବୁଲି ଆସିବାକୁ ବସିଲାବେଳେ ତା’ର ବିରାଟ ଦେହର ଓଜନ ସମ୍ଭାଳି ନ ପାରି ପାଣିରେ ଗଳିପଡ଼ିଲା ।

 

ତା’ ପରେ ସେ ପୁଣି ଗଛରେ ଚଢ଼ିଲା ଏବଂ ମୋ ଆଡ଼କୁ ମୁହାଁଇଲା । ଏଥର ଡାଳ ପାଖରେ ପହଞ୍ଚି ଡାଳକୁ ରାଗରେ କାମୁଡ଼ିବାକୁ ଲାଗିଲା । ଡାଳ କେତେକ ପରିମାଣରେ ଖଣ୍ଡିଆ ହୋଇଗଲା । ତା’ କାମୁଡ଼ାରେ ଡାଳମୂଳ ଡାଳ ଦେହରୁ ସମ୍ପୂର୍ଣ୍ଣ ଛିଡ଼ିଯିବ କି ନାହିଁ, ତାହା ମୁଁ ଭାବୁଛି, ଏହି ସମୟରେ ଏକାବେଳକେ ଗୁଡ଼ୁମ୍‌ ଗୁଡ଼ୁମ୍‌ ତିନିଟା ବନ୍ଧୁକ ଶବ୍ଦ ଶୁଣାଗଲା । ମୋତେ ଜଣାଗଲା, ସ୍ୱୟଂ ଭଗବାନ ଯେପରି ମୋ ଗୁହାରି ଶୁଣି ଚକ୍ର ପେଶିଲେ ।

 

ସେତେବେଳକୁ ଅଳ୍ପ ଅନ୍ଧାର ହୋଇଆସିଥିଲା । ମୁଁ କୂଳକୁ ଚାହିଁ ଦେଖିଲି, ମୋର ଶିକାରୀମାନେ ମୋତେ ଖୋଜି ଖୋଜି ସେଠାରେ ଆସି ପହଞ୍ଚିଛନ୍ତି । ପରେ ସେମାନଙ୍କଠାରୁ ଶୁଣିଲି, ସେମାନେ ମୋତେ ଅନୁସନ୍ଧାନ କରୁକରୁ ଗଛରେ କୁମ୍ଭୀରକୁ ଦେଖି ପାରିଲେ; ତା’ ପରେ ଦେଖିଲେ, ତା’ ଆଗରେ ଡାଳ ଆରପାଖରେ ମୁଁ ଡାଳକୁ କୁଣ୍ଢାଇ ଲେପଟାଇ ପଡ଼ିଛି । ସେମାନେ ସବୁ କଥା ବୁଝିପାରିଲେ ଓ କୁମ୍ଭୀରକୁ ଲକ୍ଷ୍ୟ କରି ଏକ ସମୟରେ ତିନିଜଣ ବନ୍ଧୁକ ଚଳାଇଲେ ।

 

ଏତେ ବଡ଼ ବିପଦ କଟିଗଲାରୁ ମୋ ମନରେ ଯେ ଆନନ୍ଦ ହୋଇଥିଲା, ତାହା ଆହୁରି ବେଶି ବଢ଼ିଗଲା, ଯେତେବେଳେ ସେ ବାଘା କୁମ୍ଭୀରର ମୃତଦେହ ଟାଣି ଶୁଖିଲାକୁ ଅଣାଗଲା ।

 

ମୁଁ ହଜାର ହଜାର କୁମ୍ଭୀର ଚମଡ଼ା ବିକିଛି; ମାତ୍ର ଏଇଟାକୁ ବିକିଲି ନାହିଁ । ଏ ଚମଡ଼ାଟା ପାଇଁ କମ୍ପାନୀ ମୋତେ ବେଶ୍‌ ଗୋଟାଏ ମୋଟା ଦାମ୍‍ ଲୋଭ ଦେଖାଇଥିଲା । ତଥାପି ତାକୁ ହାତ ଛଡ଼ା ନ କରି ମୋ ଦାଣ୍ଡଘରେ ସଜାଇ ରଖିଛି । ତାକୁ ଦେଖିଲେ ଭଗବାନଙ୍କର ଯେ ଦୟା ଅସୀମ, ସେଇ କଥା ମୋର ମନେ ପଡ଼ିଯାଏ ।

Image

 

(୧୨)

 

ମାଲୟ ଦେଶରେ ଜଣେ ଶିକାରୀ କୁମ୍ଭୀର ଗାତରେ ସାତ ଦିନ ସାତ ରାତି କଟାଇ କିପରି ଜୀବନ ଧରି ପଳାଇ ଆସିଥିଲେ, ତା’ର ରୋମାଞ୍ଚକର କାହାଣୀ ସେ ଲେଖି ଯାଇଅଛନ୍ତି ।

 

ଆମେ କେତେଜଣ ଶିକାରୀ ସଜବାଜ ହୋଇ ବଣକୁ ଶିକାର କରିବାକୁ ଯାଉଥିଲୁ । ଦୂର ବଣକୁ ଯିବାପାଇଁ ନଈ ଏକମାତ୍ର ବାଟ । ଆମେ ଗୋଟିଏ ଡଙ୍ଗା ସଜିଲ କରି ପନ୍ଦର ଦିନର ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ଦରକାରୀ ଜିନିଷ ସେଥିରେ ଲଦି ଯାତ୍ରା ଆରମ୍ଭ କଲୁ ।

 

ବଣ ଭିତରୁ ବାଘ, ହରିଣ ପ୍ରଭୃତି ମାରିବା ଆମର ଉଦ୍ଦେଶ୍ୟ । ମାତ୍ର ନାଆରେ ଗଲାବେଳେ ନଈ ମଝିରେ ଥିବା ପଠା ଓ କୂଳର ଘାସ ବଣ ଭିତରେ ଏତେ କୁମ୍ଭୀର ଦେଖିବାକୁ ପାଇଲୁ ଯେ, ଚାରି ଛଅଟା କୁମ୍ଭୀର ନ ମାରି ରହିପାରିଲୁ ନାହିଁ । ଅବଶ୍ୟ ଇଚ୍ଛା କରିଥିଲେ ଆଉ ବହୁତ ମାରିଥାଆନ୍ତୁ । ମାତ୍ର ଗୁଳି ଏପରି ଖର୍ଚ୍ଚ କରି ପକାଇବାକୁ ମନ ହେଲା ନାହିଁ ।

 

ଦୁଇ ଦିନର ଯାତ୍ରା ପରେ ଆକାଶରେ ମେଘ ଦେଖାଗଲା । ନାଆରୁ ଓହ୍ଲାଇ କୂଳରେ ବିଶ୍ରାମ ନେବାର କୌଣସି ସୁବିଧା ନ ଥିଲା । ଆମେ ବାଧ୍ୟ ହୋଇ ସେହି ନାଆରେ ବସି ରହିଲୁଁ ।

 

ପ୍ରବଳ ତୋଫାନରେ ନାଆ ଓଲଟି ପଡ଼ିଲା । ସେତେବେଳେ କିଏ ଯେ କୁଆଡ଼େ ଗଲେ, ତାହା ଜାଣିବାର କୌଣସି ଉପାୟ ନ ଥିଲା ।

 

ମୋ କଥା ମୋର ଠିକ୍‌ ମନେ ଅଛି । ମୁଁ ପ୍ରଥମେ ପାଣିର କେତେକ ତଳକୁ ବୁଡ଼ି ଯାଇଥିଲି; ତା’ପରେ ଉପରକୁ ଭାସି ଉଠିଲି ଓ ମନରେ ଟିକିଏ ଦମ୍ଭ ଆସିଲା । ଚାହିଁ ଦେଖିଲି, ଆଗରେ ଗୋଟାଏ କଳା କାଠର ମୁଣ୍ଡିଆ ଭାସୁଛି । ତାକୁ ଆଶ୍ରା କରି ବଞ୍ଚିଯିବି ବୋଲି ଭାବି ପହଁରି ସେଇ ଆଡ଼କୁ ଗଲି । ମାତ୍ର ପାଖରେ ଯାଇ ଦେଖିଲି, ତାହା ନିର୍ଜୀବ କାଠମୁଣ୍ଡିଆ ନୁହେ–ଗୋଟାଏ ଜୀବନ୍ତ କୁମ୍ଭୀର । ମୁଁ ତାକୁ ଧରିବି କଅଣ, ସେ ମୋତେ ଧରି ହଠାତ୍‌ ପିଲାଏ ଫୁଟବଲ ଉପରକୁ ମାରିଲା ଭଳି ଶୂନ୍ୟକୁ ଫିଙ୍ଗି ଦେଲା । ତା’ ପରେ କଅଣ ହେଲା, ଆଉ କିଛି ମୁଁ ଜାଣେ ନାହିଁ । ଶୂନ୍ୟରୁ ଖସି ପାଣିରେ ତ ନିଶ୍ଚୟ ପଡ଼ିଥିବି ।

 

ମୋର ଯେତେବେଳେ ଜ୍ଞାନ ହେଲା, ମୁଁ ବୁଝି ପାରିଲି ଯେ, ଗୋଟାଏ ଓଦା ସନ୍ତସନ୍ତିଆ ସ୍ଥାନରେ ମୁଁ ଶୋଇ ରହିଛି । ହଲଚଲ ହେବାର ଉପାୟ ନାହିଁ । ଗୋଟାଏ ଅନ୍ଧକାର ସରୁ ଗୁମ୍ଫା । ଆଖି ବୁଲାଇ କୌଣସି ଆଡ଼ ଦେଖିବା ସମ୍ଭବ ନୁହେ, ହାତ ମଧ୍ୟ ଏପାଖ ସେପାଖ କରିବାକୁ ଉପାୟ ନାହିଁ । ଏଣେ ପୁଣି ମୋର ସର୍ବାଙ୍ଗରେ ଅସହ୍ୟ ବ୍ୟଥା । ମୁଁ ଯେ କେଉଁ ସ୍ଥାନରେ ଆସି ବନ୍ଦୀ ହୋଇଛି, ତାହା ପ୍ରଥମରେ ଆଦୌ ବୁଝିପାରିଲି ନାହିଁ ।

 

ମନେମନେ ପୂର୍ବର କଥା ଚିନ୍ତା କରୁଛି, ମୋତେ ଜଣାଗଲା, ମୋ ଗୋଡ଼ ଆଡ଼ୁ କିଏ ଗୋଟାଏ ଚଢ଼ି ଚଢ଼ି ପିଠି ଉପରକୁ ଆସୁଛି । ଯେପରି କି ଚାରି ଛଅ ମହଣର ଜିନିଷ କିଏ ମୋ ପିଠି ଉପରେ ଲଦି ଦେଲା । ହଲଚଲ ହେବାର ଉପାୟ ନାହିଁ, ଏଣେ ଭୟ ଓ ଦୁଃଖରେ ପାଟି ମଧ୍ୟ ଫିଟିବାକୁ ନାହିଁ, ସେହି ଅସହ୍ୟ କଷ୍ଟ ସହି ସହି ମୁଁ ସେଇଠାରେ ପଡ଼ି ରହିଥାଏ ।

 

ବହୁ ସମୟ ପରେ ପିଠିରୁ ବୋଝ ଖଲାସ ହୋଇଗଲା । ସେତେବେଳକୁ ମୋର ପୂର୍ବର ଜ୍ଞାନ ଫେରି ଆସିଲାଣି । ମୁଁ ଯେ ଗୋଟାଏ କୁମ୍ଭୀର ଗାତ ଭିତରେ ରହିଛି, ଏହା ବୁଝିପାରିଲି । ତେବେ କୁମ୍ଭୀର ମୋତେ ନ ଖାଇ ଏଭଳି ବନ୍ଦୀ କରି ରଖିଛି କାହିଁକି ? ତା’ର ତ ଏହା ଅସୀମ ଦୟା ବୋଲି କହିବାକୁ ହେବ । ତେବେ ନିକଟରେ ଦିନେ ଯେ ଏ ଗାତ ଛାଡ଼ି ତା’ ପେଟଗାତରେ ମୋର ସ୍ଥାନ ହେବ, ଏ କଥା ନିଶ୍ଚିତରୂପେ ବୁଝିପାରିଲି ।

 

ଗାତ ଭିତରେ ରାତି କିଏ ଦିନ କିଏ ଜାଣି ହେଉ ନ ଥାଏ । ମୋର କୌଣସି ପ୍ରକାର ଅନୁଭୂତି ଥିବା ପରି ଜଣାଯାଉ ନ ଥାଏ । ମୁଁ କେବଳ ଏତିକି ବୁଝିପାରେ, ସମୟ ହେଲେ କୁମ୍ଭୀର ଆସି ମୋ ପିଠି ଉପରେ ଶୁଏ, ପୁଣି କେତେକ ସମୟ ପରେ ଚାଲିଯାଏ, ସେଇ ଶୋଇବାଟା ଯେ ଘଣ୍ଟାଏ କି ଦୁଇଘଣ୍ଟା କିମ୍ବା ପୂରା ଦଶ ବାରଘଣ୍ଟା, ତାହା ମୁଁ ବୁଝି ପାରୁ ନ ଥାଏ ।

 

ବହୁତ ସମୟ ଏହିପରି ଅର୍ଦ୍ଧମୃତ ଅବସ୍ଥାରେ ମୋର କଟିଗଲା । ଆଲୁଅ ଦେଖିବାକୁ ପାଉଥିଲେ, କେତେ ଦିନ, କେତେ ରାତି କଟିଲା, ତାହା କହି ହୁଅନ୍ତା । ମାତ୍ର ମୋର ଏଠାରେ ରାତି ଦିନ ସମାନ ।

 

ହଠାତ୍‌ ମନେ ପଡ଼ିଲା ଯେ, ଗୋଟାଏ ଛୁରି ମୋ ଅଣ୍ଟାରେ ଥିବା ଖୋଳରେ ରହିଥିଲା । କୁମ୍ଭୀର ପିଠି ଉପରୁ ଚାଲି ଗଲାପରେ ମୁଁ ବହୁ କଷ୍ଟରେ ହାତ ବୁଲାଇ ଅଣ୍ଟା ପାଖକୁ ନେଲି ଓ ଛୁରିଟିକୁ କୌଣସିମତେ ହାତରେ ଧଇଲି । ସେହି ଛୁରିରେ ମୋ ମୁହଁପାଖ ଗାତ ଉପରକୁ ଖୋଳିବାକୁ ଲାଗିଲି । କୁମ୍ଭୀର ଆସି ଗୋଡ଼ ଉପରେ ଚଢ଼ିଲେ ମାଟି ଖୋଳା ବନ୍ଦ କରି ଦିଏ; ହଲଚଲ ନ ହୋଇ ପଡ଼ିରହେ । ସେ ଚାଲିଗଲେ, ପୁଣି ମାଟି ଖୋଳେ ।

 

ମୁଁ ତ ତଳକୁ ମୁହଁ କରି ପଡ଼ିଥାଏ । କେଉଁ ଜାଗା ଖୋଳୁଛି, କେତେ ବଡ଼ ଗାତ ଖୋଳୁଛି, ତାହା ଜାଣିପାରୁ ନ ଥାଏ ।

 

ବୋଧହୁଏ କେତେ ଦିନ କେତେ ରାତି କଟିଯାଇଛି । ଦିନେ ମୁଁ ମାଟି ଖୋଳୁ ଖୋଳୁ ଏକାବେଳକେ ମେଞ୍ଚାଏ ବହୁତ ମାଟି ଖସି ପଡ଼ିଲା । ସେତେବେଳେ ମୋତେ ଜଣାଗଲା ଯେପରି ଉପରୁ ଆଲୁଅ ଆସି ଗାତ ଭିତରେ ପଡ଼ୁଛି । ସେ ଗାତ ତା’ ଜୀବନରେ ପ୍ରଥମ ହୋଇ ସେହି ଆଲୁଅ ଦେଖିଲା । ମୁଁ ଘୁଷୁରି ଘୁଷୁରି ଟିକିଏ ଆଗକୁ ଘୁଞ୍ଚି ଆସିଲି ଓ ମୁଣ୍ଡ ଉଠାଇ ଉପରକୁ ଚାହିଁବାକୁ ଚେଷ୍ଟା କଲି । ପ୍ରକୃତରେ ସେ କଣାଟି ମାଟି ଉପରକୁ ବାଟ ଫିଟାଇ ଦେଇଥିଲା । ମୁଁ ମୁଣ୍ଡ ଟେକି ଛୁରି ସାହାଯ୍ୟରେ ଗାତ ଚାରିପାଖ ଖୋଳି ପକାଇଲି ଓ ବହୁତ କଷ୍ଟରେ ସେହି ବାଟ ଦେଇ ଉପରକୁ ଉଠି ଆସିଲି । ବାହାର ଆଲୁଅ ଓ ପବନ ପାଇଲି ସତ; ମାତ୍ର ଏତେ ଦିନର ଭୋକ ଉପାସ ଓ ଦୁଃଖ କଷ୍ଟରେ ଏପରି ଦୁର୍ବଳ ହୋଇ ପଡ଼ିଥିଲି ଯେ, ସେଠାରେ ଅଚେତା ହୋଇ ପଡ଼ିଗଲି ।

 

ପରେ ଡାକ୍ତରଖାନାରେ ମୋର ଚେତନା ଆସିଲା । ଯେଉଁମାନେ ମୋତେ ସେଠାକୁ ଆଣିଥିଲେ, ସେମାନେ କହିଲେ ଯେ, ନଭେମ୍ବର ମାସ ୧୦ ତାରିଖ ଦିନ ମୋତେ ସେମାନେ ଉଦ୍ଧାର କରିଛନ୍ତି । ଆମେ ନଭେମ୍ବର ଏକ ତାରିଖରେ ଯାତ୍ରା ଆରମ୍ଭ କରିଥିଲୁ ଓ ତିନିଦିନ ନାଆରେ ଥିଲୁଁ । ଏହି ହିସାବରୁ ମୁଁ ପରେ ଜାଣିପାରିଲି ଯେ, ସେହି କୁମ୍ଭୀର ଗାତରେ ମୁଁ ସାତଦିନ କାଳ ବନ୍ଦୀ ହୋଇ ରହିଥିଲି । କୁମ୍ଭୀର ମୋତେ ନ ଖାଇ କାହିଁକି ଯେ ଏଭଳି ଅବସ୍ଥାରେ ରଖିଥିଲା, ତାହା କେବଳ ବିଧାତାଙ୍କୁ ଜଣା ।

Image

 

(୧୩)

 

କଟକ ଜିଲାର ଦେବୀ ନଦୀକୂଳରେ ଗୋଟିଏ ଗ୍ରାମ । ବଡ଼ ଆଡ଼ମ୍ବର ସହ ସେ ଗ୍ରାମର ଜଣେ ଲୋକଙ୍କ ଘରେ ବିବାହ ଉତ୍ସବ ଲାଗିଥାଏ । ଦୂର ଗ୍ରାମରୁ ବୋହୂ ଆସିଥାଏ । ଚଉଦ ପନ୍ଦର ବର୍ଷର ପିଲା; ପୁଣି ଏ ଘର, ଘରର ଲୋକ ସମସ୍ତେ ନୂଆ, ଅଚିହ୍ନା ।

 

ଅତି ଭୋରରୁ ଉଠି ବୋହୂ ନଈକୁ ଗାଧୋଇବାକୁ ଚାଲିଗଲା । ନଦୀ ଠିକ୍‌ ଘରର ଓଳିତଳେ । ପରିବାରର ଜଣେ ବୁଢ଼ୀ ତାକୁ ସାଙ୍ଗରେ ଧରି ଯାଇଥିଲା; ନଦୀ କୂଳରେ ଛାଡ଼ି ଦେଇ ଘରକୁ ଆସିଲା ।

 

ବହୁତ ସମୟ ବିତିଗଲା । ବିବାହ ଉତ୍ସବରେ ସମସ୍ତେ ବ୍ୟସ୍ତ । ବୋହୂ କଥା କାହାରି ମନେ ନାହିଁ । ଯେତେବେଳେ ବାରିକିଆଣୀକୁ ବରାଦ ହେଲା, ‘‘ବେଦି ଉପରକୁ ବୋହୂକୁ ଆଣ’’, ସେତେବେଳେ ଖୋଜା ପଡ଼ିଲା, ‘‘ବୋହୂ କାହିଁ ? ବୋହୂ ଗଲା କୁଆଡ଼େ ?’’

 

ବୁଢ଼ୀଟି କହିଲା–‘‘ସକାଳେ ମୁଁ ତାକୁ ନଈକୂଳରେ ଛାଡ଼ି ଦେଇ ଆସିଥିଲି ଗାଧୋଇବା ପାଇଁ ।’’

 

ଲୋକେ ନଈକୁ ଧାଇଁଲେ । ସେଥିରେ ଜାଲ ପକାଇଲେ । ବହୁତ ଖୋଜିଲେ; ମାତ୍ର କୌଣସିଠାରେ ବୋହୂ ମିଳିଲା ନାହିଁ ।

 

ଏଣେ ବର ବେଦି ଉପରେ ବସିଛି । ବୋହୂ ତ ନାହିଁ । ବାହା ହେବ କାହାକୁ ? ବନ୍ଦାଣ ହୋଇଥିବା ବର ବାହା ନ ହେଲେ ଘରକୁ ଫେରିବ ନାହିଁ । ଲୋକେ ଜାଣିଗଲେ ଯେ, ବୋହୂ ନଈରେ ବୁଡ଼ି ମରିଛି, ନ ହେଲେ ତାକୁ କୁମ୍ଭୀର ଖାଇ ଯାଇଛି ।

 

ବାହାଘର ହେବ କଅଣ ? ପୋଲିସ ଆସିବାର କଥା । ଆନନ୍ଦ ଉତ୍ସବ କ୍ଷଣକରେ ଦୁଃଖ ଶୋକରେ ପରିଣତ ହୋଇଗଲା ।

 

କ୍ରମେ ସନ୍ଧ୍ୟା ହେଲା । କେତେଜଣ ପିଲା ନଈକୂଳକୁ ଝାଡ଼ା ଫେରିବାକୁ ଗଲେ । ଗୋଟିଏ ପିଲା କାଶତଣ୍ଡି ଗଛର ବଣ ଭିତରେ ବସି ପଡ଼ୁ ପଡ଼ୁ ଚମକି ଉଠି ପଳାଇଗଲା । ପାଟିକରି କହିଲା, ଗୋଟାଏ ଲଙ୍ଗଳା ଭୂତ ମୋତେ ଖାଇବାକୁ ଗୋଡ଼ାଇଥିଲା ।

 

ସବୁ ପିଲା ଏହା ଅବିଶ୍ୱାସ କଲେ । ବଣ ଭିତରକୁ ହାତ ଧରାଧରି ହୋଇ ଏକାବେଳକେ ଗଲେ । ଯାଇ ଦେଖିଲେ, ବୋହୂ ସେଠାରେ ଠିଆହୋଇ ଥରୁଛି, ଦେହରେ ଲୁଗାପଟା କିଛି ନାହିଁ ।

 

ବୋହୂ କାନ୍ଦିକାନ୍ଦି କହିଲା–‘‘ମୁଁ ଗାଧୋଉଥିଲି । କୁମ୍ଭୀର ଆସି ମୋ ଲୁଗା କାନିକୁ ଧରି ଟାଣିଲା । ମୁଁ ଭୟରେ ଲଙ୍ଗଳା ହୋଇ ଲୁଗା ପକାଇ ଦେଲି । ଲାଜ କଥା । ଘରକୁ ଯିବି କିପରି ? ଏଠାରେ ଲୁଚି ବସିଅଛି । ମୋତେ ଖଣ୍ଡେ ଲୁଗା ଘରୁ ଆଣି ଦିଅ ।’’

 

ପିଲାଏ ତତ୍‌କ୍ଷଣାତ୍‌ ଦଉଡ଼ି ଯାଇ ଘରୁ ଲୁଗା ଆଣିଲେ । ବୋହୂ ତାହା ପିନ୍ଧି ଘର ଭିତରକୁ ଗଲା । ପୁଣି ଉତ୍ସବ ସରଗରମ ହୋଇ ଉଠିଲା ।

 

ପରେ ତାକୁ ପଚରାଗଲା–‘‘ତୁ ପାଟି କରି ଡାକ ପକାଇଲୁ ନାହିଁ କାହିଁକି ?’’

 

ସେ ଉତ୍ତର ଦେଲା–‘‘ଘରୁ ଆସିଲାବେଳେ ମାଆ କହିଥିଲା, ତୁ କାହାରିକୁ କଥା କହିବୁ ନାହିଁ । ମୁଁ କଥା କହନ୍ତି କିପରି ? ମୁଁ ସେଠାରେ ବସି ଦେଖିଛି, ଲୋକେ ନଈରେ ଜାଲ ପକାଇଲେ, ଦଳବଳ ହୋଇ ସେଠାରେ ଜମାହେଲେ । ତଥାପି ସେମାନଙ୍କୁ ଡାକିବାକୁ ମୋର ସାହସ ହେଲା ନାହିଁ । ପୁଣି ଅଦ୍ଭୁତ ଲଙ୍ଗଳା । ଏପରି ଅବସ୍ଥାରେ ଡାକିଲେ ମୋତେ ନିର୍ଲଜ୍ଜୀ ବୋଲି କହନ୍ତେ ନାହିଁ-?’’

Image